Unknown

 

 

 

 

 

 

 

 

 

 

ଜନ୍ମାଷ୍ଟମୀ

ଭାଗବତର ଦଶମ ସ୍କନ୍ଧ

 

ପ୍ରଥମ ଅଧ୍ୟାୟ

(ଗୋପଲୀଳା)

 

ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମମ୍ ।

ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍ ।

ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଘଂୟତେ ଗିରିମ୍ ।

ଯତ୍କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍ ।।

 

ନିଗମ କଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦମୃତଦ୍ରବସଂଯୁତମ୍ ।

ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକାଭୁବିଭାବୁକାଃ ।

 

ବନ୍ଦଇ ଦେବ ଲମ୍ବୋଦର

ପାଶ ଅଙ୍କୁଶ ବେନିକର

॥୧

 

 

ପୃଥୁଳ ଜଠର ସୁନ୍ଦର

ଗଜବଦନ ଗଣେଶ୍ୱର

॥୨

 

 

ଅନାଦି ନାଥର ନନ୍ଦନ

ଅମୃତପାନେ ତୋଷମନ

॥୩

 

 

ଯଜ୍ଞ ଆରମ୍ଭେ ତୋର ପୂଜା

ଉତ୍ତରୀ କଣ୍ଠେ ନାଗରାଜ

॥୪

 

 

ଶ୍ୟାମସୁନ୍ଦର ତନୁବର୍ଣ୍ଣ

ଅଶେଷ ବିଘ୍ନ-ବିନାଶନ

॥୫

 

 

ତୁମ୍ଭର ଜନକ ଜନନୀ

ଜଗତ ଜନକ ଜନନୀ

॥୬

 

 

ତୋର ମହିମା ମୁଖେକହି

କେ ପାରେ ନରଦେହ ବହି

॥୭

 

 

ହୁଅ ସଦୟ ଗଣନାଥ

କହିବି ଶ୍ରୀକୃଷ୍ଣ ଚରିତ

॥୮

 

 

ନମଇଁ ପ୍ରଭୁ ନରହରି

ହିରଣ୍ୟକଶିପୁ ବିଦାରି

॥୯

 

 

ଉଦିତ ରବି ଜିଣି ତେଜ

ସୁନ୍ଦର ଶୋହେ ଚତୁର୍ଭୁଜ

॥୧୦

 

 

କୁଣ୍ଡଳ ଶଶୀ ଦିନକର

ନକ୍ଷତ୍ର ମାଳା ହୃଦେହାର

॥୧୧

 

 

ବ୍ରାହ୍ମଣ୍ଡ ମାଳମାଳ ହୋଇ

ତୋ ଲୋମକୂପେ ଛନ୍ତି ରହି

॥୧୨

 

 

ଧର୍ମପାଳକ ତୁ ଜଗତେ

ଶରୀର ବହୁ ପ୍ରାଣୀ ହିତେ

॥୧୩

 

 

ଦୁଷ୍ଟ ନିବାରି ସନ୍ଥ ପାଳୁ

ତୁ ନାଥ ପରମ ଦୟାଳୁ

॥୧୪

 

 

କର ସୁଦୟା ନରହରି

ତୋ ଲୀଳା କହିବି ବିସ୍ତାରି

॥୧୫

 

 

ପରମ ମଙ୍ଗଳ ତୋ’ନାମ

ଖଣ୍ଡେ ସକଳ ବିଘ୍ନମାନ

॥୧୬

 

 

ଏଣୁ ମୋହର ନାହିଁ ଭୟେ

ଯାହାର ନାମ ଯମଜୟେ

॥୧୭

 

 

ବ୍ୟାସକୁମର ପାଦ ଧରି

ବୋଲେ ପରୀକ୍ଷ - ଦଣ୍ଡଧାରୀ

॥୧୮

 

 

ପରୀକ୍ଷିତ ଉବାଚ

 

 

 

ଭୋମୁନି ହୋଇବା ସଦୟେ

 

ମୋ ଚିତ୍ତ ରହୁ କୃଷ୍ଣପାୟେ

॥୧୯

 

 

ପାଣ୍ଡବ କୁଳେ ମୋର ଜନ୍ମ

ମୋହାର ବନ୍ଧୁ ଜନାର୍ଦ୍ଧନ

॥୨୦

 

 

ଦ୍ରୋଣା କୁମର ବାଣ-ତ୍ରାସେ

ମରିବି କହିଗଲେ ବ୍ୟାସେ

॥୨୧

 

 

ତା’ ଶୁଣି ଜନନୀ ମୋହର

ଶରଣ ଗଲା ଚକ୍ରଧର

॥୨୨

 

 

ଗର୍ଭେ ପଡନ୍ତେ ଆସି ବାଣ

ମୋତେ ରଖିଲେ ନାରାୟଣ

॥୨୩

 

 

 

 

ତେଣୁ କୃଷ୍ଣ ଏ ଶରୀରର

କିଣିଲା ସେବକ ମୁଁ ତା’ର

॥୨୪

 

 

ତା’ର ଚରିତ କର୍ଣ୍ଣେ ଶୁଣି

ତରିବି ଭବ-ତରଙ୍ଗିଣୀ

॥୨୫

 

 

ଶ୍ରୀକୃଷ୍ଣ ଲୀଳାର ଚରିତ

ମୁଖ-ପଙ୍କଜୁଁ ତୋ’ ର ଜାତ

॥୨୬

 

 

ଶ୍ରୁତି ଯୁଗଳେ ପାନ କରି

ହେଳେ ତରିବି ଭବ-ବାରି

॥୨୭

 

 

ପାଣ୍ଡବେ ଯାହାର ବିଶ୍ୱାସୁ

ତରିଲେ କୁରୁବଳ – ତ୍ରାସୁ

॥୨୮

 

 

ବତ୍ସାଚରଣ –ଜଳ ତୁଲ୍ୟେ

ହେଳେ ତରିଲେ କୁରୁବଳେ

॥୨୯

 

 

ସେ ହରିଚରିତ ଗହନ

ଧ୍ୟାନେ ଭାବନ୍ତି ମୁନିଜନ

॥୩୦

 

 

ଭବସାଗର ପରମାଦ

ବିଷୟା ବିଷକୁ ଏ ଗଦ

॥୩୧

 

 

ଚଣ୍ଡାଳୁ ବ୍ରହ୍ମଯାଏ ଲୋକ

କେ ଶୁଣି ହୋଇବ ବିମୁଖ

॥୩୨

 

 

ଅଶେଷ ଜନ୍ତୁ ଦେହ ବହି

ଯେ କାଳରୂପେ ଅଛି ରହି

॥୩୩

 

 

ମାୟା ମନୁଷ୍ୟ ରୂପେ ଜାତ

ସଂହାରି ପାଳଇ ଜଗତ

॥୩୪

 

 

ମୃତ୍ୟୁ ଅମୃତ୍ୟୁ ବେନି ଦେଇ

ନିତ୍ୟେ ନିର୍ମଳ ଯା’ର ଦେହୀ

॥୩୫

 

 

ନବମସ୍କନ୍ଧେ ମୁହଁ ଶୁଣି

ସେ କଥା ମନେ ମନେ ଗୁଣି

॥୩୬

 

 

ବିଚାର କଲି ଭ୍ରମଚିତ୍ତ

ଭୋ ମୁନି କହିବା ତଦନ୍ତ

॥୩୭

 

 

ଶ୍ରୀଭାଗବତର ସିଦ୍ଧାନ୍ତ

ଅମୃତ ରସମୟ ଗୀତ

॥୩୮

 

 

ଧାର୍ମିକ କୁଳେ ଯଦୁବଂଶେ

ଜନ୍ମ ହୋଇଲେ ନିଜ ଅଂଶେ

॥୩୯

 

 

ନୀଳ ଧବଳ ରୂପ ଦୁଇ

ଦେବକୀ ଗର୍ଭେ ଜାତ ହୋଇ

॥୪୦

 

 

କେମନ୍ତେ ରୋହିଣୀର ସୁତ

ରାମକୁ ବୋଲନ୍ତି ଜଗତ

॥୪୧

 

 

ବେନି ଉଦରୁ ଏକ ଦେହ

ଭୋ ମୁନି ଫେଡିବା ସନ୍ଦେହ

॥୪୨

 

 

କେବଣ ହେତୁ ଭଗବାନ

ଗୁପତେ ଗଲେ ବୃନ୍ଦାବନ

॥୪୩

 

 

ଭକତ ତାରିବାର ଆଶେ

ରମିଲେ ବାଳକ ବିଶ୍ୱାସେ

॥୪୪

 

 

ପୁଣି କେତେହେଁ ଦିନେ ହରି

ମିଳିଲେ ମଥୁରା ନଗରୀ

॥୪୫

 

 

ଜଗତଜନଙ୍କର ଗୁରୁ

ଯା’ର ମହିମା ମହାମେରୁ

॥୪୬

 

 

କିମ୍ପା ଅନୀତି ଆଚରିଲେ

ସୋଦର ମଉଳା ମାଇଲେ

॥୪୭

 

 

ଏ କି ତାହାଙ୍କ ପରମାଣ

ଯାହାଙ୍କ ନାମ ନାରାୟଣ

॥୪୮

 

 

ମନୁଷ୍ୟ ରୂପେ ହୋଇ ଜନ୍ମ

କେତେ ବରଷ ଭୋଗକର୍ମ

॥୪୯

 

 

ଯାଦବ ସଙ୍ଗତେ ବିହରି

କେତେ କଳତ୍ର ଭୋଗକରି

॥୫୦

 

 

ଏ ଆଦି ଯେତେକ ଚରିତ

ଭୋ ମୁନି କହି ତୋଷ ଚିତ୍ତ

॥୫୧

 

 

ଦେଖ ମରଣକାଳ ମୋର

ଭୋ ମୁନି ତେଜିଲି ଆହାର

॥୫୨

 

 

ହରିଚରିତ ସୁଧା-ବାରି

ତୋର ବଦନୁଁ ପାନ କରି

॥୫୩

 

 

ଜଗତ ସଂହାରିଣୀ କ୍ଷୁଧା

ସେ ମୋତେ ନ କରଇ ବାଧା

॥୫୪

 

 

ସୂତ ଉବାଚ

 

 

 

ଶୁଣି ରାଜାର ସାଧୁ କଥା

ମୁନି - ପଣ୍ଡିତ ଶୁଦ୍ଧଚେତା

॥୫୫

 

 

କୃଷ୍ଣ ଚରଣେ ଦେଇ ଚିତ୍ତ

ବୋଲନ୍ତି ଶୁଣ ଭାଗବତ

॥୫୬

 

 

ଶୁକ ଉବାଚ

 

 

 

ସାଧୁ ଚରିତ ତୋ’ର ବୁଦ୍ଧି

କୃଷ୍ଣଚରଣେ ଚିତ୍ତ ଖେଦ

॥୫୭

 

 

ଗୋବିନ୍ଦେ ତୋ’ର ମନ ଯେତେ

ମୁଁ କହି ପାରିବିକି ତୋତେ

॥୫୮

 

 

ଗୋବିନ୍ଦ କଥା ପରଶନ

ହେଳେ ତାରଇ ତିନିଜଣ

॥୫୯

 

 

ଶ୍ରୋତା ବକତା ଯେ ପଚାରି

ଏ ତିନିଜଣେ ଯା’ନ୍ତି ତରି

॥୬୦

 

 

ତା’ପାଦ ଗଙ୍ଗାଜଳ ଯେହ୍ନେ

ତାରଇ ସ୍ନାନ-ପିଣ୍ଡଦାନେ

॥୬୧

 

 

ନାମ ମାତ୍ରକେ ପାପ ନାଶେ

ତାରଇ ସେ ତିନି ପୁରୁଷେ

॥୬୨

 

 

କହିବି କୃଷ୍ଣ ଲୀଳା ମାନ

ରାଜନ ହୁଅ ସାବଧାନ

॥୬୩

 

 

ଅସୁର ବଳ ପାଦଭରେ

ଭୂମି କମ୍ପିଲା ଥରହରେ

॥୬୪

 

 

ଭାରାରେ ଚଳି ନ ପାରଇ

ଅଧରୁ ରୁଧିର ଗଳଇ

॥୬୫

 

 

ଦିନକେ ବିଚାରଇ ବସି

କେ ମୋର ଶରୀର ଆଶ୍ୱାସି

॥୬୬

 

 

ଛାଡିବି ସଂସାର ଧାରଣ

ପଶିବି ବ୍ରହ୍ମାରେ ଶରଣ

॥୬୭

 

 

ମାୟା ସୁରଭି ରୂପ ହୋଇ

କାନ୍ଦଇ ଚଉଦିଗ ଚାହିଁ

॥୬୮

 

 

ବିଧାତା ନିକଟେ ମିଳିଲା

ନିଜ ବେଦନା ଜଣାଇଲା

॥୬୯

 

 

ବିଧାତା ଶୁଣି ତା’ବିକଳ

ସଙ୍ଗେ ଘେନିଲେ ଦେବଦଳ

॥୭୦

 

 

ଶଙ୍କର ଘେନି ସର୍ବେ ବେଗେ

ମିଳିଲେ କ୍ଷୀରସିନ୍ଧୁ ଲାଗେ

॥୭୧

 

 

ଜଳଧି କୂଳେ ଦେବଗଣ

ଡାକନ୍ତି ରଖ ନାରାୟଣ

॥୭୨

 

 

ଅନେକ ଧ୍ୟାନ ସ୍ତୁତି କଲେ

ହରି ସନ୍ଦେଶ ନ ପାଇଲେ

॥୭୩

 

 

ଅନେକ ମତେ କରି ଧ୍ୟାନ

ବ୍ରହ୍ମା ପାଇଲେ ମନେ ଛନ୍ନ

॥୭୪।।

 

 

ଅନନ୍ତ ନ ଦେଖି ବିଧାତା

ମନେ ପାଇଲେ ଗୁରୁ ଚିନ୍ତା

॥୭୫

 

 

ସମାଧି ବସିଲେ ତକ୍ଷଣ

ଚିନ୍ତି ଅନାଦି-ନାରାୟଣ

॥୭୬

 

 

ବ୍ରହ୍ମାର ଦେଖିଣ ବିକଳ

କରୁଣା କଲେ ଆଦିମୂଳ

॥୭୭

 

 

ନିଦ୍ରାର ବଳେ ମନେ ହରି

ସ୍ୱପନେ କହିଲେ ମୁରାରି

॥୭୮

 

 

ବ୍ରହ୍ମାଙ୍କୁ ଦିଶିଲା ସ୍ୱପନ

କହନ୍ତି ପ୍ରଭୁ ନାରାୟଣ

॥୭୯

 

 

ଶୁଣ ବଚନ ମୋର ଧାତା

ମୁଁ ଯେ ଜଗତ ପିତାମାତା

॥୮୦

 

 

ସକଳ ମୋହର ଭିଆଣ

କେବଳ ଦେଲି ପରମାଣ

॥୮୧

 

 

ମୋର ବଚନ ଶିରେ ଧରି

ତୁ ଅଛୁ ଜଗତ ଆବୋରି

॥୮୨

 

 

ବେଦ ବିଚାର ସୃଷ୍ଟି ପାଳୁ

ଅବନୀ ଭାରେ କିମ୍ବା ଭାଳୁ

॥୮୩

 

 

ମୁଁ ତାହା ଜାଣଇଟି ସର୍ବ

ନାଶିବି ଅସୁରଙ୍କ ଗର୍ବ

॥୮୪

 

 

ଏବେ ସକଳ ଦେବେ ଯାଅ

ମର୍ତ୍ତ୍ୟମଣ୍ଡଳେ ଜାତ ହୁଅ

॥୮୫

 

 

ଯାଦବ ଆଦି ସାତବଂଶ

କଂସକୁ ହୋଇବ ବିଶ୍ୱାସ

॥୮୬

 

 

ଗୋପୀ ଗୋପାଳ ରୂପ ହୋଇ

ଗୋପେ ଜନ୍ମିବ ଦେହ ବହି

॥୮୭

 

 

ମୁଁ ଜାତ ବାସୁଦେବ ଘରେ

ବଢ଼ିବି ଯାଇ ଗୋପପୁରେ

॥୮୮

 

 

ଷୋଳ ସହସ୍ର ଗୋପନାରୀ

ରମିବି ବୃନ୍ଦାବନେ ହେରି

॥୮୯

 

 

ଅନେକ ନାଶିବି ଅସୁର

ଖଣ୍ଡିବି ଅବନୀର ଭାର

॥୯୦

 

 

ଭକତ ଜନଙ୍କୁ ତାରିବି

ପୁଣି ସ୍ୱଧାମେ ବାହୁଡିବି

॥୯୧

 

 

ଏବେ ହେ ଯାଅ ତୁ ସତ୍ୱର

କହିବୁ ଦେବଙ୍କ ଆଗର

॥୯୨

 

 

ବେଗେ ହୁଅନ୍ତୁ ମର୍ତ୍ତ୍ୟେ ଜନ୍ମ

କହି ହୋଇଲେ ଅନ୍ତର୍ଦ୍ଧାନ

॥୯୩

 

 

ସ୍ୱପନ ଚେତି ବେଦବର

କହିଲେ ଦେବଙ୍କ ଆଗର

॥୯୪

 

 

ଶୁଣି ସାନନ୍ଦ ଦେବଗଣେ

ନମିଲେ ଧାତାର ଚରଣେ

॥୯୫

 

 

ବୋଲନ୍ତି ଶୁଣ ବେଦବର

ଯାହା କହିଲେ ଚକ୍ରଧର

॥୯୬

 

 

ଅବନୀ ମଧ୍ୟେ ଦେହ ଧରି

ଗୋପେ ଯାଦବେ ଅବତରି

॥୯୭

 

 

ହୋଇବୁଁ ଏ ଆମ୍ଭର ସତ୍ୟ

କି କି କହିଲେ ଜଗନ୍ନାଥ

॥୯୮

 

 

ସେ କଥା କହ ପ୍ରଜାପତି

ଶୁଣି ନିର୍ମଳ ହେଉ ମତି

॥୯୯

 

 

ବ୍ରହ୍ମାଉବାଚ

 

 

 

ବହ୍ମା ବୋଇଲେ ଦେବେ ଶୁଣ

ଯାହା କହିଲେ ନାରାୟଣ

॥୧୦୦

 

 

ଯାଦାବ ବସୁଦେବ ଘରେ

ଜନ୍ମିବେ ଦେବକୀ ଉଦରେ

॥୧୦୧

 

 

ହରିର କଳାରେ ଅନନ୍ତ

ଆଗେ ହୋଇବେ ଗର୍ଭଗତ

॥୧୦୨

 

 

ମାୟାର ଯୋଗ ବଳେ କରି

ଦେବକୀ ଗର୍ଭୁ ତାହା ହରି

॥୧୦୩

 

 

ରୋହିଣୀ ଗର୍ଭେ ତାହା ଥୋଇ

ଦାସ ବତ୍ସଳ ଭାବଗ୍ରାହୀ

॥୧୦୪

 

 

ଆପଣେ ପ୍ରଭୁ ଜଗନ୍ନାଥ

ଦେବକୀ ଗର୍ଭେ ହେବେ ଜାତ

॥୧୦୫

 

 

 

 

ଦୁର୍ଗାଙ୍କୁ ଯଶୋଦାର କୋଳେ

ଜାତ କରିବେ ଯୋଗ ବଳେ

॥୧୦୬

 

 

କୃଷ୍ଣଙ୍କୁ ବସୁଦେବ ନେଇ

ଆସିବ ନନ୍ଦ ଘରେ ଥୋଇ

॥୧୦୭

 

 

ଏମନ୍ତେ ତାରିବେ ସଂସାର

ଦାସ ବତ୍ସଳ ଦାମୋଦର

॥୧୦୮

 

 

ଶୁଣିଣ ବିଧାତା ବଚନ

ଦେବେ ଆନନ୍ଦ କଲେ ମନ

॥୧୦୯

 

 

ଚାହିଁଣ ଧରଣୀ ବଦନ

ବୋଇଲେ ଧନ୍ୟ ତୋ’ଜୀବନ

॥୧୧୦

 

 

ତୋ’ର ଉପରେ ଚକ୍ରଧାରୀ

ମନୁଷ୍ୟ ଦେହେ ଅବତରି

॥୧୧୧

 

 

ନାଶିବେ ତୋ’ର ଦୁଃଖରାଶି

ଆମ୍ଭେ ଦେଖିବୁ ବ୍ରହ୍ମରାଶି

॥୧୧୨

 

 

ଭୂମି ଆଶ୍ୱାସୀ ଦେବଗଣ

ଗଲେ ସେ ଯେ ଯାହା ଭୁବନ

॥୧୧୩

 

 

ଏବେ ହୋ ଶୁଣ ମହୀପତି

ଯେମନ୍ତ କଲେ ଶିରୀପତି

॥୧୧୪

 

 

ହରିଚରଣେ ଦେଇ ଚିତ୍ତ

କହଇ ଦାସ ଜଗନ୍ନାଥ

॥୧୧୫

 

ଇତି ଶ୍ରୀମଦ୍ ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍ମନ୍ଦେ ପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ଅବତାର ଉପକ୍ରମେ ପ୍ରଥମୋଽଧ୍ୟାୟଃ ।।

***

 

ଦ୍ୱିତୀୟ ଅଧ୍ୟାୟ

 

 

 

ଶୁକ ଉବାଚ

 

 

 

ବନ୍ଦଇ ନୃସିଂହ ଚରଣ

କହିବି ବିଷ୍ଣୁର ପୁରାଣ

॥୧

 

 

ଶୁକ ବୋଲନ୍ତି ଶୁଣ ରାୟେ

ମର୍ତ୍ତ୍ୟେ ଜନ୍ମିଲେ ଦେବତାୟେ

॥୨

 

 

ଭୋଜବଂଶରେ ଉତ୍‌ପନ୍ନ

ପ୍ରତାପୀ ରାଜା ଶୁରସେନ

॥୩

 

 

ପୂର୍ବେ ମଥୁରା ପୁରେ ଥିଲା

ଅନେକ ନୃପତି ଜିଣିଲା

॥୪

 

 

ତେଣୁ କଟକ ମଧୁପୁରୀ

ଯହିଁ ବିଜୟ ନରହରି

॥୫

 

 

 

 

ସେ ରାଜା ଗୋବିନ୍ଦ ଭକତ

ତାହାର ଉଗ୍ରସେନ୍ ସୁତ

॥୬

 

 

ଦେବକ ନାମେ ତା’ର ଭ୍ରାତ

ଦେବକୀ ତାହାର ଦୁହିତ

॥୭

 

 

ରୂପେ କମଳା ନୋହେ ସରି

ସେ କନ୍ୟା ବସୁଦେବ ବରି

॥୮

 

 

ମାୟା ଭିଆଣ ପଦ୍ମନାଭ

କରନ୍ତି ବିବାହ ଉତ୍ସବ

॥୯

 

 

ବିଭା କରାଇ କନ୍ୟାବର

ଯାବତ ମଙ୍ଗଳ ବେଭାର

॥୧୦

 

 

ଜନବେଭାରେ ସେ ଦେବକ

ଅନେକ ଦେଲା ଯଉତୁକ

॥୧୧

 

 

ଚତୁରଶତ ହସ୍ତୀ ଦେଲା

କଣ୍ଠେ ଲମ୍ବାଇ ରତ୍ନମାଳା

॥୧୨

 

 

ଅଠରଶତ ରଥ ଯୁତେ

ଅଶ୍ୱ ସେ ଦେଲା ସେହି ମତେ

॥୧୩

 

 

ବେନି ଶତକେ ପରିବାରୀ

ଦେଲା ସେ ଅଳଙ୍କାର ଭରି

॥୧୪

 

 

ବାଜଇ ଭେରୀ ତୁରୀ ବାଦ୍ୟ

କେ କହୁ ବିଭାର ଆନନ୍ଦ

॥୧୫

 

 

ରଥେ ବସାଇ କନ୍ୟାବର

ନବରୁ ହୋଇଲେ ବାହାର

॥୧୬

 

 

କୁସୁମ ବଷରନ୍ତି ଘେନି

ମଙ୍ଗଳ କଲେ ଦେବ ଧ୍ୱନୀ

॥୧୭

 

 

ଉଗ୍ରସେନର କଂସ ସୂତ

ଦେଖିଣ ହୋଇଲା ଉଷତ

॥୧୮

 

 

ଯାହାର ନାମେ ଦେବେ ଡ଼ରି

ଚାଲନ୍ତି କମ୍ପେ ବସୁନ୍ଧରୀ

॥୧୯

 

 

ଶୁଦ୍ଧସୁବର୍ଣ୍ଣ ରଥେ ବସି

ରାଜାଏ କଂସକୁ ପ୍ରଶଂସି

॥୨୦

 

 

ଭଗିନୀ ପ୍ରିୟ ବନ୍ଧୁପଣେ

ରଥରେ ବସିଲା ଆପଣେ

॥୨୧

 

 

ଅଶ୍ୱ ଦଉଡ଼ି ଧରିକରେ

ରଥ ବାହିଲା ଧୀରେ ଧୀରେ

॥୨୨

 

 

ଥୋକାଏ ଦୂର ରଥଗଲା

ଆକାଶୁ ଶବଦ ଶୁଭିଲା

॥୨୩

 

 

ତା’ ଶୁଣି ଚାହିଁଲା ଗଗନେ

ଶବଦ ଶୁଭୁଅଛି ଶୂନ୍ୟେ

॥୨୪

 

 

ରେ ରେ ଅସୁର କଂସ ଶୁଣ

ନଜାଣୁ ଆପଣା ମରଣ

॥୨୫

 

 

ଯାହାର ବାହୁ ଅଛୁ ରଥ

ତୋତେ ମାରିବେ ତା’ର ସୁତ

॥୨୬

 

 

ଅଷ୍ଟମ ଗର୍ଭେ ଅବତରି

ମହୀ ରଖିବେ ତୋତେ ମାରି

॥୨୭

 

 

ଶୁଣି ଅନ୍ତରୀକ୍ଷ ବଚନ

ରଥରୁ ଓହ୍ଲାଇ ବହନ

॥୨୮

 

 

କରେ ଉଞ୍ଚାଇ କରବାଳ

ଧଇଲା ଦେବକୀର ଚୂଳ

॥୨୯

 

 

ବୋଲଇ ଭଲ ଏ ବିଚାର

କୁମାରୀ କାଳୁ ୟକୁ ମାର

॥୩୦

 

 

ମୂଳୁଁ ମାରିଲେ ଯିବ ସରି

ଦେବଙ୍କ ସଙ୍ଗେ କିମ୍ପା କଳି

॥୩୧

 

 

ଅଧର ଚାପି ରୋଷେ ଚାହେଁ

କମ୍ପଇ ଦେବକୀର କାୟେ

॥୩୨

 

 

କଂସକୁ ବସୁଦେବ ଚାହିଁ

ଭୟେ ଚିନ୍ତଇ ଭାବଗ୍ରାହୀ

॥୩୩

 

 

କଂସର ଭୁଜ କରେ ଧରି

ବୋଲଇ ଶୁଣ ଦଣ୍ଡଧାରୀ

॥୩୪

 

 

ତୁ ଅଟୁ ମହତ ପୁରୁଷ

ସଂସାରେ ଅଛି ତୋ'ର ଯଶ

॥୩୫

 

 

ଧାର୍ମିକ ବୋଲନ୍ତି ସକଳେ

ଦେବକୀ ମାରୁ କିମ୍ପା ବଳେ

॥୩୬

 

 

ବିଭାର କାଳେ ଏଡ଼େ କର୍ମ

କେମନ୍ତେ ସହିବଟି ଧର୍ମ

॥୩୭

 

 

ଦେହର ସଙ୍ଗେ ମୃତ୍ୟୁ ଜାତ

ନାହିଁ ଏହାର ଆଦିଅନ୍ତ

॥୩୮

 

 

ବାଳକ ସ୍ଥବିର ତରୁଣ

ଅବଶ୍ୟ ଲଭିବେ ମରଣ

॥୩୯

 

 

ଦେହ ବହିଲେ ନିଶ୍ଚେ ମରି

ମରଣ ଛାରେ କିମ୍ପା ଡରି

॥୪୦

 

 

ଏ ଜୀବ ମରଣ ନିକଟେ

ବେଗେ ଚିନ୍ତଇ ଅନ୍ୟଘଟେ

॥୪୧

 

 

ଏହାର କଲା କର୍ମମାନ

ତେଣୁ ହୁଅନ୍ତି ସାବଧାନ

॥୪୨

 

 

କର୍ମର ବଶ ହୋଏ ଜନ୍ତୁ

ଜନ୍ମ ମରଣ କର୍ମ ହେତୁ

॥୪୩

 

 

ଜୋକ ଯେ ଏକଇ ଚରଣେ

ଯେସନେ ସକ୍ତରଇ ତୃଣେ

॥୪୪

 

 

ଜୀବ ଯେ କର୍ମେ ସଞ୍ଚରଇ

ଜନ୍ମ ମରଣ ନାମ ବହି

॥୪୫

 

 

ନିଦ୍ରାରେ ଯେସନେ ସ୍ୱ ନ

ଦେଖିଣ ପାସୋରଇ ମନ

॥୪୬

 

 

ଦେହରେ ଥାଇ ଯେତେ କରି

ଜୀବ ଛାଡ଼ିଲେ ତା' ପାଶୋରି

॥୪୭

 

 

କରଇ ପରଲୋକ ଭୋଗ

ପୁଣ ହିଁ ରଜ ବୀର୍ଯ୍ୟ ଯୋଗ

॥୪୮

 

 

ଜନ୍ମିଣ ପାଶୋରଇ ତାହା

ଏମନ୍ତ ଅନାଦିର ମାୟା

॥୪୯

 

 

ଏକଇ ପୁରୁଷ ମୁରାରି

ସକଳଘଟେ ଛନ୍ତି ପୂରି

॥୫୦

 

 

ଶତେକ ଜଳଘଟ ଥୋଇ

ଚାହିଁଲେ ଆକାଶ ଦିଶଇ

॥୫୧

 

 

ପୁଣି ହିଁ କଲେ ଏକଗୋଟି

ତହିଁ ଆକାଶ ଥାଏ ଘୋଟି

॥୫୨

 

 

ଆକାଶ ନୁହଁଇଟି ଭିନ୍ନ

ନାଶ ହୁଅନ୍ତି ଘଟମାନ

॥୫୩

 

 

ଏମନ୍ତ ଆତ୍ମାର ବିବେକ

ଏହା ଜାଣନ୍ତି ଜ୍ଞାନୀ ଲୋକ

॥୫୪

 

 

ତୁ ଅଟୁ ମହତ ପୁରୁଷ

କିମ୍ପା ବହେଣୀ କରୁ ନାଶ

॥୫୫

 

 

ଜୀବ ମାରନ୍ତି ଆତ୍ମା ସୁଖେ

ଅନ୍ତେ ହେଁ ପଡ଼ନ୍ତି ନରକେ

॥୫୬

 

 

ଏ ସାନ ବହେଣୀ ତୋହର

ଏହାକୁ ରକ୍ଷାକର ବୀର

॥୫୭

 

 

ଶୁକ ବୋଲନ୍ତି ଶୁଣ ରାୟେ

ଅସୁର ସ୍ୱଭାବେ ନିର୍ଣ୍ଣୟେ

॥୫୮

 

 

ଧର୍ମବଚନ ନ ଶୁଣଇ

ବିଶେଷେ ତା'ର ଜ୍ଞାନ ନାହିଁ

॥୫୯

 

 

ଭିଣୋଇ ବୋଲ ନ ଶୁଣିଲା

ପୁଣି ହିଁ ହାଣିବି ବୋଇଲା

॥୬୦

 

 

ଦେଖି ବସୁଦେବ ବିଚାରି

କାନ୍ଦିଣ ସୁମରେ ମୁରାରି

॥୬୧

 

 

ପୁଣି ବିଚାରୁଅଛି ମନେ

ଦେବକୀ ରଖିବି କେସନେ

॥୬୨

 

 

କେ ସହୁ ଏହାର ବିକଳ

ରଖିବି ଲାଭ ଦେଇ ମୂଳ

॥୬୩

 

 

କିବା ନୋହୁଣୁ ମୋର ସୁତ

କଂସ ହୋଇବ ପ୍ରାଣେ ହତ

॥୬୪

 

 

କିବା ନୋହିବ ମୋର ପୁଅ

ଜାଣନ୍ତି ପ୍ରଭୁ ଦେବରାୟ

॥୬୫

 

 

ଏମନ୍ତେ ମନେ ବିଚାରିଲା

କଂସର ମୁଖକୁ ଚାହିଁଲା

॥୬୬

 

 

ବୋଲନ୍ତି ଶୁଣ ବୀର କଂସ

ଛାଡ଼ ତୁ ବହେଣୀର କେଶ

॥୬୭

 

 

ଏହାର ସୁତ ତୋତେ ମାରି

ଏ ତୋ'ର ନୁହଁଇ ବଇରୀ

॥୬୮

 

 

ଏ ଯେତେ ଶିଶୁ ପ୍ରସବିବ

ତୋ'ର ନିକଟେ ଦେବି ସର୍ବ

॥୬୯

 

 

ତୁ ଅଟୁ ପୁରୁଷ ମହତ

ଏ ମୋ'ର ତିନିବାର ସତ୍ୟ

॥୭୦

 

 

ଶୁଣନ୍ତୁ ଦଶଦିଗ ଲୋକେ

ଏଠାରେ ଅଛନ୍ତି ଯେ ଥୋକେ

॥୭୧

 

 

ଏକଥା ମୋହର ପ୍ରମାଣ

ଏଥକୁ ସାକ୍ଷୀ ନାରାୟଣ

॥୭୨

 

 

ବସୁଦେବର ବୋଲ ଶୁଣି

କଂସ ହିଁ ମନେମନେ ଗୁଣି

॥୭୩

 

 

ବିଚାରି ମଣିଲା ବିଶ୍ୱାସ

ଛାଡ଼ିଲା ଦେବକୀର କେଶ

॥୭୪

 

 

ଆନନ୍ଦ ହୋଇ ସର୍ବଜନେ

ଗଲେ ସେ ଯେ ଯାହା ଭୁବନେ

॥୭୫

 

 

କେତେହେଁ ଦିନ ତହିଁ ଗଲା

ଦେବକୀ ଗର୍ଭ ଉପୁଜିଲା

॥୭୬

 

 

ବରଷ ବରଷକେ ସୁତ

ହୋଇଲା ଏକଇ ଦୁହିତ

॥୭୭

 

 

ପ୍ରଥମେ ହୋଇଲା ତନୟେ

ରୂପେ ମୋହିଲା କାମ ପ୍ରାୟେ

॥୭୮

 

 

ସୁତକୁ ଦେଖି ବସୁଦେବ

ବିକଳେ ଚିନ୍ତଇ ମାଧବ

॥୭୯

 

 

ଏ ସୁତ ଦେବଇଁ କେମନ୍ତେ

ସତ୍ୟ ଯେ କରିଛି ଯୁକତେ

॥୮୦

 

 

ଦେବକୀ ମୁଖକୁ ଚାହିଁଲା

ହା କୃଷ୍ଣ ବୋଲି ଡାକ ଦେଲା

॥୮୧

 

 

କୋଳରେ ଘେନିଲା ତନୟ

ହୋଇଲା ହରଷ ବିସ୍ମୟ

॥୮୨

 

 

କଂସର ସଭାରେ ମିଳିଲା

ବାଳକ ତଳେ ଶୁଆଇଲା

॥୮୩

 

 

ଦେଖି ଚକିତ ସଭାଜନେ

କଂସ ବିଚାରୁଅଛି ମନେ

॥୮୪

 

 

ଏତ ନୋହଇ ମୋ' ବଇରୀ

ଅଷ୍ଟମଗର୍ଭ ମୋତେ ମାରି

॥୮୫

 

 

ଏହାର ମଣିଲି ମୁଁ ସତ୍ୟ

ନେଉ ଏହାର ନିଜ ସୁତ

॥୮୬

 

 

ହସିଣ ବସୁଦେବ ଚାହିଁ

କହଇ ବିଶ୍ୱାସ କରାଇ

॥୮୭

 

 

ତୋହରେ ମଣିଲି ମୁଁ ସତ୍ୟ

ନିଅ ତୋହର ନିଜ ସୁତ

॥୮୮

 

 

ଶୁଣି ବସୁଦେବ ଚକିତେ

କଂସକୁ ନ ଯାଇ ପରତେ

॥୮୯

 

 

କ୍ଷଣକେ ରହିଣ ବିଚାରି

ପୁଣି କୁମର କୋଳେ ଧରି

॥୯୦

 

 

ବାଟରେ କରଇ ବିଚାର

ଦୁଷ୍ଟ ଦାନବ ଦୁରାଚାର

॥୯୧

 

 

ଏବେ ମୁଁ ନେବି ବାହୁଡ଼ାଇ

ପୁଣି ମାରିବ କଂସ ନେଇ

॥୯୨

 

 

ଦେବକୀ କଷ୍ଟ ହେବ ବଡ଼

କିସ କରିବି ମୁହିଁ ରାଢ଼

॥୯୩

 

 

ହରି ଭିଆଣ କଲେ ଯାହା

ଅବଶ୍ୟ ଭୁଞ୍ଜିବିନା ତାହା

॥୯୪

 

 

ଏମନ୍ତେ ଦୁଃଖେ ସୁଖେ ଯାଇ

ଦେବକୀ ନିକଟେ ମିଳଇ

॥୯୫

 

 

ସୁତକୁ ଦେଲା ତା'ର କୋଳେ

କାନ୍ଦଇ ମାୟାମୋହ ଭୋଳେ

॥୯୬

 

 

ବିଚ୍ଛେଦ-ଦୁଃଖ-ମାତା-ଚିତ୍ତ

ପୁତ୍ରକୁ ପାଇଣ ଉଷତ

॥୯୭

 

 

ନିବିଡ଼ ସ୍ନେହେ କୋଳେ ଯାକି

ଆନନ୍ଦ କେ ପାରିବ ଲକ୍ଷ୍ୟି

॥୯୮

 

 

ରଜନୀ ହୋଇଲା ପ୍ରବେଶ

ମିଳିଲା ଅନ୍ତଃପୁରେ କଂସ

॥୯୯

 

 

ଶୀତଳ ମଣୋହି ସାରିଲା

ସୁଖେ ପଲ୍ୟଙ୍କେ ବିଜେକଲା

॥୧୦୦

 

 

ତକ୍ଷଣେ ମିଳିଲେ ନାରଦ

ଆନନ୍ଦେ କଲେ ବୀଣାନାଦ

॥୧୦୧

 

 

ଦେଖିଣ ତେଜିଲା ଶୟନ

ପ୍ରଣାମ କଲାକ ବହନ

॥୧୦୨

 

 

ନିଜ ଆସନେ ବସାଇଲା

ବିଶ୍ୱାସେ ଚରଣ ଚାପିଲା

॥୧୦୩

 

 

ଭକତି ଦେଖିଣ ନାରଦ

କହନ୍ତି ଶୋକ ଗଦଗଦ

॥୧୦୪

 

 

ଶୁଣ ଅସୁର ଚୂଡ଼ାମଣି

ତୋ'ର ମରଣ ମୁହିଁ ଶୁଣି

॥୧୦୫

 

 

ତୋ' ଦୁଃଖ ଦେଖି ମୁଁ ବିକଳ

ଦେଖ ନୟନେ ଅଶ୍ରୁଜଳ

॥୧୦୬

 

 

ଶୁଣ ଦାନବ ଶିରୋମଣି

ତୋ'ର ମରଣ ତଥ୍ୟବାଣୀ

॥୧୦୭

 

 

ଭୂମିର ଦେଖିଣ ବିକଳ

ଗୁହାରି କଲେ ଦେବବଳ

॥୧୦୮

 

 

ବ୍ରହ୍ମାର ତୁଲେ ଶୂଳପାଣି

କ୍ଷୀର ସମୁଦ୍ରେ ସ୍ତୁତିଭଣି

॥୧୦୯

 

 

ବ୍ରାହ୍ମାଙ୍କୁ କହିଲେ ଅନନ୍ତ

ମନୁଷ୍ୟେ ହୋଇବି ମୁଁ ଜାତ

॥୧୧୦

 

 

ମାରିବି ସକଳ ଅସୁର

ନାଶିବି ଅବନୀର ଭାରତ

॥୧୧୧

 

 

ଏମନ୍ତ କୂଟକଥା ମାନ

ଭିଆଣ କଲେ ଦେବଗଣ

॥୧୧୨

 

 

ଦେବକୀ ଅଷ୍ଟମ ଗର୍ଭର

ନିଶ୍ଚୟେ ମରଣ ତୋହର

॥୧୧୩

 

 

ବ୍ରହ୍ମାର ବଚନେ ମୁରାରି

ମାୟା ମନୁଷ୍ୟ ରୂପ ଧରି

॥୧୧୪

 

 

ତୋତେ ମାରିବେ ସେ ଅନନ୍ତ

ତୁ କିମ୍ପା ହୋଇଲୁ ନିଶ୍ଚିନ୍ତ

॥୧୧୫

 

 

ଦେବେ ଉପୁଜିଛନ୍ତି ଅଂଶେ

ଗୋପାଳ-ଯଦୁ-ଭୋଜବଂଶେ

॥୧୧୬

 

 

ନନ୍ଦ ଯଶୋଦା ଆଦି ଯେତେ

କହିବି ଏକେ ଏକେ କେତେ

॥୧୧୭

 

 

ଦେବକୀ ଦେବୀ ବସୁଦେବ

ଏ ଆଦି ଯେତେକ ଯାଦବ

॥୧୧୮

 

 

ତୋହାର ଯେତେକ ସେବକ

ଦେବତାମାନେ ଏଟି ଦେଖ

॥୧୧୯

 

 

ତୁ ଯହୁଁ ଦୁଷ୍ଟପଣ କଲୁ

କି ବୋଲି ବାଳକ ଛାଡ଼ିଲୁ

॥୧୨୦

 

 

କଂସ ବୋଇଲା ବ୍ରହ୍ମଚାରୀ

ଅଷ୍ଟମଗର୍ଭ ମୋ' ବଇରୀ

॥୧୨୧

 

 

ଆବର ଯେତେ ଗର୍ଭଶିଷ

ତହିଁ ମୋ' ପ୍ରୟୋଜନ କିସ

॥୧୨୨

 

 

କଂସର ଶୁଣି ଏ ଉତ୍ତର

ମୁନି କାଟିଲେ ଅଷ୍ଟଗାର

॥୧୨୩

 

 

ପ୍ରଥମେ ଗଣିଲେକ ଆଠ

ଛନ୍ଦେଣ ବୁଝାଇଲେ ପାଠ

॥୧୨୪

 

 

ବାମଭାଗକୁ ଲେଉଟାଇ

ପୁଣି ଗଣିଲେ ପାଠ କହି

॥୧୨୫

 

 

ଯେଝାର ଠାରୁ ଆଠ ହୋନ୍ତି

ଶୁଣ ହୋ ଅସୁର ନୃପତି

॥୧୨୬

 

 

ଏହା ଛାଡ଼ିଲେ କେଉଁ ଯଶ

ଏଣେ ହୋ ପ୍ରୟୋଜନ କିସ

॥୧୨୭

 

 

ଏହା ତୁ ନ କଲେ ବିଚାର

ନିକଟେ ମରିବୁ ଅସୁର

॥୧୨୮

 

 

କଂସକୁ କରାଇ ଉଚ୍ଚାଟ

ନାରଦ ଗଲେ ଶୂନ୍ୟବାଟ

॥୧୨୯

 

 

ଏମନ୍ତ ମୁନିବାକ୍ୟ ଶୁଣି

କଂସ ହିଁ ମନେମନେ ଗୁଣି

॥୧୩୦।।

 

 

ଦୁଃଖେ ରଜନୀ ପୁହାଇଲା

ନିଜ ସଭାରେ ବିଜେକଲା

॥୧୩୧।।

 

 

ଅସୁର ବଳ ଘେନି ସଙ୍ଗେ

ଧାଇଁଲା ପବନହୁଁ ବେଗେ

॥୧୩୨।।

 

 

ଦେବକୀ ମନ୍ଦିରେ ମିଳିଲା

କୋପେ ଅଧର କାମୋଡ଼ିଲା

॥୧୩୩।।

 

 

ଦେବକୀ ମୁଖକୁ ଅନାଇ

ବୋଲଇ କୋପଭର ହୋଇ

॥୧୩୪

 

 

ତୁ ଅଟୁ ବହେଣୀ ମୋହର

ମୋର ମରଣେ ତୋ' ବିଚାର

॥୧୩୫

 

 

ମୁଁ ଏହା ଜାଣିବି କେମନ୍ତେ

ଭିଣୋଇ ବୋଲେ ଗଲି ପ୍ରତେ

॥୧୩୬

 

 

ଏମନ୍ତେ ଅନେକ ବୋଇଲା

କୋଳୁଁ ବାଳକ ଘେନିଗଲା

॥୧୩୭

 

 

ବେନିଚରଣ କରେ ଧରି

ବୁଲାଇ ଅନ୍ତରାଳ କରି

॥୧୩୮

 

 

କୋପେ ଅନେକ ଗାଳିଦେଲା

ଶିଳା ଉପରେ କଚାଡ଼ିଲା

॥୧୩୯

 

 

ଦେବକୀ ବସୁଦେବ ଆଣି

ବନ୍ଧନକଲା ପାଦପାଣି

॥୧୪୦

 

 

ମାଡ଼ ମରାଇ ମହାରୋଷେ

ପାଦେ ଭରିଲା ଲୌହପାଶେ

॥୧୪୧

 

 

ଧନ-ସମ୍ପଦ କଲା ଜୂର

ଆଣି ଭରିଲା ବନ୍ଦୀଘର

॥୧୪୨

 

 

ସାତକବାଟ ମହାବଳ

ଲୌହକିଳିଣୀ ଅନର୍ଗଳ

॥୧୪୩

 

 

ପ୍ରହରୀ ଶତେକ ଜଗାଇ

କହଇ ରୋଷଭର ହୋଇ

॥୧୪୪

 

 

ଦେବକୀ ଯେତେ ପ୍ରସବିବ

ମୋର ଛାମୁରେ ଜଣାଇବ

॥୧୪୫

 

 

ଯେ ମୋର ବୋଲ ନ କରିବ

ସେହି ମୋହର ଶତ୍ରୁ ହେବ

॥୧୪୬

 

 

ନିଜ ପିଅର ଅଣାଇଲା

ଅନେକ ମାଡ଼ ମରାଇଲା

॥୧୪୭

 

 

ଶାଙ୍କୋଳି ଦେଲା ବନ୍ଦୀଘରେ

ଅନେକ ଯାଦବ ସଙ୍ଗରେ

॥୧୪୮

 

 

ଅସୁର ସ୍ୱଭାବେଣ କଂସ

ମାଇଲା ଆପଣାର ବଂଶ

॥୧୪୯

 

 

କୋପ ସଂହରି ନିଜପୁରେ

ଅସୁର ପଶିଲା ଭିତରେ

॥୧୫୦

 

 

କଂସ ଜାଣଇ ଯୋଗବଳେ

ମୁଁ ଜାତ ଦାନବର କୁଳେ

॥୧୫୧

 

 

ଅନେକବାର ମୋତେ ମାରି

ମୋକ୍ଷ ନ ଦେଲେ ନରହରି

॥୧୫୨

 

 

ଏବେ ମାରିବ ହରି ମୋତେ

ଭାଗ୍ୟ ମୋ କେ କରିବ ଅନ୍ତେ

॥୧୫୩

 

 

ଏମନ୍ତ ମନେ ବିଚାରିଲା

ଯଦୁଙ୍କ ସଙ୍ଗେ ବାଦ କଲା

॥୧୫୪

 

 

ଶୁଣ ସୁଜନେ ଭାଗବତ

କୃଷ୍ଣଚରଣେ ଦେଇ ଚିତ୍ତ

॥୧୫୫

 

 

ପଣ୍ଡିତେ ନ ଘେନିବା ଦୋଷ

କୃଷ୍ଣଚରିତ ସୁଧାରସ

॥୧୫୬

 

 

କହଇ ବିପ୍ର ଜଗନ୍ନାଥ

ହରିଚରଣେ ଦେଇ ଚିତ୍ତ

॥୧୫୭

 

ଇତି ଶ୍ରମଦ୍ଭାଗବତେ ମହାପୁରାଣେ ପାରମହଁସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ଅବତାର ଉପକ୍ରମେ ଦ୍ୱିତୀୟୋଽଧ୍ୟାୟଂ ॥

***

 

ତୃତୀୟ ଅଧ୍ୟାୟ

 

 

 

ଶୁକ ଉବାଚ

 

 

 

ଶୁକ ବୋଲନ୍ତି ଶୁଣ ରାୟ

କଂସ ପାଇଲା ମହାଭୟ

॥୧

 

 

ଦୂତ ପେଷିଲା ଚାରିଦିଗେ

ବିଶ୍ୱାସୀ ଦାନବଙ୍କ ସଙ୍ଗେ

॥୨

 

 

କଂସର ଯେତେ ମିତ୍ରଗଣ

ଆସି ମିଳିଲେ ଜଣେ ଜଣ

॥୩

 

 

ଚାଣୁର ତୃଣାବର୍ତ୍ତ ବୀର

ମୁଷ୍ଟିକ ଅଘା ଷଣ୍ଢାସୁର

॥୪

 

 

ଦ୍ୱିବିନ୍ଦ ନାମେଣ ବାନର

ପ୍ରଳମ୍ବା ବକା ବତ୍ସାସୁର

॥୫

 

 

 

 

ପୁତନା ନାମେଣ ରାକ୍ଷସୀ

ଆଗେ ମିଳିଲା ବୀରକେଶୀ

॥୬

 

 

ବାଣା ନାରକା ଜରାସନ୍ଧ

ସ୍ୱଭାବେ ଅଟନ୍ତି ଏ ମନ୍ଦ

॥୭

 

 

ଏମନ୍ତେ କହିବଇଁ କେତେ

କଂସର ମିତ୍ର ଛନ୍ତି ଯେତେ

॥୮

 

 

ଏହାଙ୍କୁ ବସାଇ ଆସନେ

କଂସ କହଇ ଖେଦ ମନେ

॥୯

 

 

ଶୁଣ ସକଳ ବୀରମଣି

ମୋହର କର୍ମଫଳ ବାଣୀ

॥୧୦

 

 

ନାରଦ କହିଗଲେ ମୋତେ

ଯଦୁଙ୍କୁ ନ ଯିବୁ ପରତେ

॥୧୧

 

 

ଯଦୁଙ୍କ ହାତେ ମୋ' ମରଣ

ଏ କଥା ଅଟଇ ପ୍ରମାଣ

॥୧୨

 

 

ଏମନ୍ତ କହିଗଲେ ମୁନି

ବ୍ରହ୍ମାକୁମର ମହାଜ୍ଞାନୀ

॥୧୩

 

 

ତୁମ୍ଭେ ଯେ ମୋହର ବିଶ୍ୱାସ

ଯଦୁଙ୍କୁ ବେଗେ କର ନାଶ

॥୧୪

 

 

ଶୁଣି ଅସୁରେ ପରଜ୍ୱଳି

ଯେସନେ ସମୁଦ୍ର ଉଚ୍ଛୁଳି

॥୧୫

 

 

ଯଦୁଙ୍କୁ ଦେଲେ କଷ୍ଟମାନ

ଯହୁଁ ରଖିବେ ଭଗବାନ

॥୧୬

 

 

ଯାଦବେ ଅସୁରଙ୍କ ଡରେ

ପଳାଇଗଲେ ଦେଶାନ୍ତରେ

॥୧୭

 

 

କେ କୁରୁ ନଗରେ ପଶିଲେ

ପାଞ୍ଚାଳ ଦେଶେ କେ ଲୁଚିଲେ

॥୧୮

 

 

ବିଦେହ ନିଷଧ କୋଶଳେ

ପଶିଲେ ଜୀବନ ବିକଳେ

॥୧୯

 

 

ଯେ ଅବା ଯାଇ ନ ପାରିଲେ

କଂସର ଶରଣ ପଶିଲେ

॥୨୦

 

 

କେହୁ ସେବକ ପଣେ ଦାସ

କାହାକୁ ଦେଲା ଲୌହପାଶ

॥୨୧

 

 

ଏମନ୍ତେ ବରଷେ ପୂରିଲା

ପୁଣି ଦେବକୀ ପ୍ରସବିଲା

॥୨୨

 

 

ପ୍ରହରୀ ଜଣାଇଲା ଯାଇ

ଶୁଣି ଧାଇଁଲା ରୋଷ ବହ

॥୨୩

 

 

ଦେବକୀ ନିକଟେ ମିଳିଲା

କୋଳୁ ବାଳକ ଉଛୁଡ଼ିଲା

॥୨୪

 

 

ବେନିଚରଣ ଧରି କରେ

ବୁଲାଇ ପିଟିଲା ଶିଳାରେ

॥୨୫

 

 

ଏମନ୍ତେ ବରଷେ ବରଷ

ଛ'ପୁତ୍ର କଲା କଂସ ନାଶ

॥୨୬

 

 

ଦେଖିଣ ଦେବକୀ ବିକଳ

ଦୟାସାଗର ଆଦିମୂଳ

॥୨୭

 

 

ଅନନ୍ତ ରୂ ଧରି ହରି

ଦେବକୀ ଗର୍ଭେ ବିଜେ କରି

॥୨୮

 

 

ଏ ରୂପେ ଅନନ୍ତ ପ୍ରକାଶ

ଗର୍ଭେ ହୋଇଲେ ଅଷ୍ଟମାସ

॥୨୯

 

 

ଦେବକୀ ନିଜ ଦେହ ଚାହିଁ

ବିକଳେ ନିଶ୍ୱାସ ଛାଡ଼ଇ

॥୩୦

 

 

କେତେ ପାତକ କଲି ପୂର୍ବେ

ପୁଣି ହୋଇଲା ଆସି ଗର୍ଭେ

॥୩୧

 

 

କେତେ ସହିବି ଗର୍ଭକଷ୍ଟ

ବିଧାତା କଲା ମୋତେ ହଟ

॥୩୨

 

 

ଗର୍ଭେ ଧରଇ ଦଶମାସ

କୋଳ ଧରିତେ ନାହିଁ ଆଶ

॥୩୩

 

 

ଏମନ୍ତ ବିଚାରି ବିକଳ

ନୟନୁ ବହେ ଅଶ୍ରୁଜଳ

॥୩୪

 

 

ଦାସବତ୍ସଳ ଭଗବାନ

ଜାଣିଲେ ଦେବକୀର ମନ

॥୩୫

 

 

ଦୁର୍ଗାଙ୍କୁ ନିକଟେ ବସାଇ

ବୋଲନ୍ତି ପ୍ରଭୁ ଭାବଗ୍ରାହୀ

॥୩୬

 

 

ଅମ୍ବିକା ଶୁଣ ମୋ' ଉତ୍ତର

ବହନ ଯାଅ ମର୍ତ୍ତ୍ୟପୁର

॥୩୭

 

 

ମଥୁରା-କଂସ-ବନ୍ଦୀ-ଘରେ

ମିଳିବୁ ପ୍ରଥମ ପ୍ରହରେ

॥୩୮

 

 

ବନ୍ଦୀ କରିଛି କଂସରାୟେ

ଏକ ଶାଙ୍କୋଳି ବେନିପାୟେ

॥୩୯

 

 

ବସୁଦେବଙ୍କୁ ଯେତେବେଳେ

ଧରି ଆଣିଲା କଂସ ବଳେ

॥୪୦

 

 

ତାହାର ପତ୍ନୀ ନନ୍ଦଘରେ

ଯାଇ ଲୁଚିଲା କଂସଡ଼ରେ

॥୪୧

 

 

ରୋହିଣୀ ନାମ ବିଦ୍ୟମାନ

ତାହାର ଗର୍ଭ ଅଛି ଶୂନ୍ୟ

॥୪୨

 

 

ଦେବକୀ ଦେବୀ ନିଦ୍ରାକାଳେ

ଗର୍ଭ ହରିବୁ ଯୋଗବଳେ

॥୪୩

 

 

ମିଳିବୁ ନନ୍ଦ ଘରେ ଯାଇ

ରୋହିଣୀ-ଗର୍ଭେ ତାହା ଥୋଇ

॥୪୪

 

 

ଜନ୍ମିବୁ ଯଶୋଦା ଉଦରେ

ମୁଁ ପୁଣି ଯିବି ମର୍ତ୍ତ୍ୟପୁରେ

॥୪୫

 

 

ଦେବକୀ ଗର୍ଭେ ହେବି ଜାତ

ମୋତେ ଘେନିଣ ଯିବେ ତାତ

॥୪୬

 

 

ତୋତେ ଆଣିବେ ମୋତେ ଥୋଇ

ଏ କଥା ନ ଜାଣିବେ କେହି

॥୪୭

 

 

ଏମନ୍ତ କଂସର ମରଣ

ହସି କହନ୍ତି ନାରାୟଣ

॥୪୮

 

 

ମର୍ତ୍ତ୍ୟେ ହୋଇବୁ ତୁ ଯେ ଜାତ

ଜଗତେ ହୋଇବୁ ବିଖ୍ୟାତ

॥୪୯

 

 

ଲୋକେ କରିବେ ତୋତେପୂଜା

ଅନେକ ଦେବେ ବଳିଭୋଜା

॥୫୦

 

 

ଭକତେ ହୋଇବୁ ପ୍ରସନ୍ନ

ଅନେକ ହେବ ତୋର ନାମ

॥୫୧

 

 

ଜୟା ବିଜୟା ଭଦ୍ରକାଳୀ

ମଙ୍ଗଳା ଚର୍ଚ୍ଚିକା କଙ୍କାଳୀ

॥୫୨

 

 

କନ୍ୟକା କୃଷ୍ଣା ଯେ ମାଧବୀ

ଈଶାନୀ ଶାରଦା ବୈଷ୍ଣବୀ

॥୫୩

 

 

ଦୁର୍ଗା ଅମ୍ବିକା ନାରାୟଣୀ

ଏକୁ ଅନେକ ନମ ଭଣି

॥୫୪

 

 

ଗ୍ରାମ ଗ୍ରାମକେ କରି ସ୍ଥାନ

ପୂଜନ୍ତେ ହୋଇବୁ ପ୍ରସନ୍ନ

॥୫୫

 

 

ଅନେକ ନାମ ତୋ' ଜଗତେ

ଅନ୍ତ ମୁଁ କରିବଇଁ କେତେ

॥୫୬

 

 

ପୂଜା କରିବେ ସର୍ବସ୍ଥାନେ

ରାଜା ପରଜା ଭକ୍ତମାନେ

॥୫୭

 

 

ସ୍ତୁତି ପଠନ ମନ୍ତ୍ର ଧ୍ୟାନ

ଷୋଡ଼ଶ ଉପଚାର ମାନ

॥୫୮

 

 

ଶୁଣ ବଚନ ଆଦିମାତା

ଫେଡ଼ ଦେବକୀ ମନଚିନ୍ତା

॥୫୯

 

 

ଦେବକୀ ଗର୍ଭୁ ତା' ଆଣିବୁ

ରୋହିଣୀ ଗର୍ଭରେ ଥୋଇବୁ

॥୬୦

 

 

ତାହାଙ୍କ ନାମ ସଙ୍କର୍ଷଣ

ଲୋକରେ ହୋଇବେ ପ୍ରମାଣ

॥୬୧

 

 

ନାମ ହୋଇବ ବଳରାମ

ବଳେ ନୋହିବେ କେହି ସମ

॥୬୨

 

 

ଶୁଣି ଆନନ୍ଦମନା ହୋଇ

ମର୍ତ୍ତ୍ୟେ ଚଳିଲେ ମହାମାୟୀ

॥୬୩

 

 

ହରି ଆଦେଶ ଘେନି ଶିରେ

ମିଳିଲେ ମଥୁରା ନଗରେ

॥୬୪

 

 

କଂସରାଜାର ବନ୍ଦୀଘରେ

ମିଳିଲେ ପ୍ରଥମ ପ୍ରହରେ

॥୬୫

 

 

ରାତ୍ରେ ଦେବକୀ ନିଦ୍ରାକାଳେ

ଗର୍ଭ ହରିଲେ ଯୋଗବଳେ

॥୬୬

 

 

ଅନନ୍ତ ଘେନି ମାୟାଦମ୍ଭେ

ଥୋଇଲେ ରୋହିଣୀର ଗର୍ଭେ

॥୬୭

 

 

ଗର୍ଭ ସଂଯୋଗ ଦେବୀ କରି

ଦିନକୁ ଦିନ ଗର୍ଭ ଭାରି

॥୬୮

 

 

ସିଂହ ପୌର୍ଣ୍ଣମୀ ଦିନ ସାର

ରୋହିଣୀ ପ୍ରସବେ କୁମର

॥୬୯

 

 

ଧବଳ ଜ୍ୟୋତି ରୂ ପୁଣି

Unknown

ଶିରେ ଶୋହଇ ସପ୍ତଫଣୀ

॥୭୦

 

 

ଅପୁଆ ଘରେ ପୁଅ ଜାତ

ଆନନ୍ଦ ହୋଏ ନନ୍ଦ ଚିତ୍ତ

॥୭୧

 

 

ମୋହର ଘରେ ପୁତ୍ର ନାହିଁ

ଏ ମୋତେ କାରଣ ଅଟଇ

॥୭୨

 

 

ଯାହା ସେ ଦଇବ ନିର୍ମିତ

ଦୁର୍ଗା ହୋଇଲେ ଗର୍ଭଗତ

॥୭୩

 

 

ମିଳିଲେ ନନ୍ଦଘରେ ଯାଇ

କୃଷ୍ଣ ଜନ୍ମିବା ବାଟ ଚାହିଁ

॥୭୪

 

 

ଦେବକୀ ଗର୍ଭ ଯହୁଁ ଗଲା

ଲୋକେ ବୋଇଲେ ଭଲହେଲା

॥୭୫

 

 

ଭଲଟି ଗଲେ ନାରାୟଣ

ଦେବକୀ ନ ପାଉ କଷଣ

॥୭୬

 

 

ଥୋକେ ବୋଇଲେ ଭଲ ହେଲା

କଂସର ଡରେ ପଳାଇଲା

॥୭୭

 

 

ପୋଡୁ ଏ ଦେବକୀ ଭିଆଣ

କେ ବୋଲେ କର୍ଣ୍ଣେ ତା'ନ ଶୁଣ

॥୭୮

 

 

ଏଡ଼େ ମଡ଼ିଛୀ ଅଛି କାହିଁ

କେ ବୋଲେ ମୁଖ ତା'ନ ଚାହିଁ

॥୭୯

 

 

କାନ୍ଦି କେ ହୁଅନ୍ତି ବିକଳ

କେ ବୋଲେ ରଖ ଆଦିମୂଳ

॥୮୦

 

 

ଦେବକୀ ମନର କଷଣ

ଜାଣିଲେ ପ୍ରଭୁ ନାରାୟଣ

॥୮୧

 

 

ତେଜିଲେ ଜଳଧି ଶୟନ

ମଥୁରା ମିଳିଲେ ବହନ

॥୮୨

 

 

ବସୁଦେବର ଦେହେ ଯାଇ

ପଶିଲେ ଜ୍ୟୋତିରୂପ ହୋଇ

॥୮୩

 

 

ବିଷ୍ଣୁର ତେଜ ପ୍ରଚଣ୍ଡ

ଯେହ୍ନେ ଉଦିତ ମାରତଣ୍ଡ

॥୮୪

 

 

ଅମରଗୁରୁ ଲଗ୍ନ ବେଳେ

କାନ୍ତ କାମିନୀ ଏକମେଳେ

॥୮୫

 

 

ଜଗତ ମଙ୍ଗଳ ପୁରୁଷ

ଦେବକୀ ଉଦରେ ପ୍ରବେଶ

॥୮୬

 

 

ଉଦୟ କାଳେ ଯେହ୍ନେ ଶଶୀ

ପୂର୍ବ ଦିଗରୁ ପରକାଶି

॥୮୭

 

 

କୃଷ୍ଣଙ୍କୁ ଧରିଣ ଉଦର

ଦେବକୀ ଦିଶିଲା ସୁନ୍ଦର

॥୮୮

 

 

ଅନ୍ଧାର ବନ୍ଦୀଘରେ ତେଜ

ଯେହ୍ନେ ଉଦିତ ଗ୍ରହରାଜ

॥୮୯

 

 

ଦେବକୀ ଗର୍ଭବାସ କଥା

ଶୁଣି ପାଇଲା କଂସ ବ୍ୟଥା

॥୯୦

 

 

ଭୟେ ଚକିତ ମନେ ଛନ୍ନ

ମିଳିଲା ଦେବକୀ ଭୁବନ

॥୯୧

 

 

ସାତ କବାଟ ଫେଡ଼ାଇଲା

ଅନ୍ଧାର ଘରକୁ ଚାହିଁଲା

॥୯୨

 

 

ଉଦୟ ହୋଇ ଦିନକର

ଯେହ୍ନେ ନାଶଇ ତମ ଘୋର

॥୯୩

 

 

ଦେଖି ଚକିତ କଂସ ମନେ

ଭାଳି ବୋଲଇ ଭୟଛନ୍ନେ

॥୯୪

 

 

ନିଶ୍ଚୟେ ହୋଇଲା ମରଣ

ଏ ତ ଅନାଦି ନାରାୟଣ

॥୯୫

 

 

ଗର୍ଭେ ବିଜୟେ ବ୍ରହ୍ମରାଶି

ଏ ମୋର କାଳ ଦଣ୍ଡଫାଶି

॥୯୬

 

 

ଜୀବନ ନାଶିବ ମୋହର

ଦେବକୀ ବଡ଼ଇ ସୁନ୍ଦର

॥୯୭

 

 

ଏ ଯେତେ ଗର୍ଭ ପ୍ରସବିଲା

ଏମନ୍ତ ବେଳେ ନ ଦିଶିଲା

॥୯୮

 

 

କି ବୁଦ୍ଧି କରିବଇଁ ଆଜ

ମାରିଣ ଲଭିବଇଁ କାର୍ଯ୍ୟ

॥୯୯

 

 

ଏସନ ମନେ ବିଚାରଇ

ମୁନି ତ ଯାଇଛନ୍ତି କହି

॥୧୦୦

 

 

ଯାହା କହିଲେ ବ୍ରହ୍ମସୁତ

ସେ କଥା ନୋହଇ ବିଅର୍ଥ

॥୧୦୧

 

 

ଯାଦବେ ମୋହର ବଇରୀ

ମୋର ମରଣ ହେତୁ କରି

॥୧୦୨

 

 

ଦେବକୀ ବସୁଦେବ ଆଦି

ଏ ମୋର ଅଟନ୍ତି ବିବାଦୀ

॥୧୦୩

 

 

ଭିଣୋଇ ଗୁଣ କର୍ମମାନ

ଯୁବତୀ କଲା ଭିନ୍ନ ଭିନ୍ନ

॥୧୦୪

 

 

ଆତ୍ମବହେଣୀ ମୋର ଶଲ

ମୋହରେ ନ ଇଚ୍ଛଇ ଭଲ

॥୧୦୫

 

 

ସପ୍ତମଗର୍ଭ କେଣେ ନେଲା

ବୋଇଲା ଗର୍ଭ ଉଭେଇଲା

॥୧୦୬

 

 

ଏ ଯେ ମୋହର ଅପରାଧୀ

କିସ କରିବି ଏବେ ବୁଦ୍ଧି

॥୧୦୭

 

 

ହସ୍ତରେ ଅଛି ମୋ' ଉପାୟ

ଛାଡ଼ିଲେ ନ ପାଇବି କାୟ

॥୧୦୮

 

 

ଦେବକୀ ପକାଇବି ମାରି

ଗର୍ଭ ନାଶିବି ପେଟ ଚିରି

॥୧୦୯

 

 

ପୁଣି ବିଚାରୁଅଛି ମନେ

ଏ କର୍ମ କରିବି କେସନେ

॥୧୧୦

 

 

ଜୀବନ ପାଇଁ ଏଡ଼େ ପାପ

କରି ପାଇବି ମନେ ତାପ

॥୧୧୧

 

 

ଉଭୟ ଲୋକେ ସୁଖ ନାହିଁ

ନରକେ ପଡ଼ିବି ମୁଁ ଯାଇ

॥୧୧୨

 

 

ପାପର ମଧ୍ୟେ ପରମାଦ

ସ୍ତିରୀ ଗର୍ଭିଣୀ ଶିଶୁବଧ

॥୧୧୩

 

 

ଏ ତିନି କର୍ମ ଯେ କରନ୍ତି

ଜୀବନ ଥାଉଁ ସେ ମରନ୍ତି

॥୧୧୪

 

 

ତାହାର ମରିବାର କାଳେ

ନିନ୍ଦିତ ବୋଲନ୍ତି ସକଳେ

॥୧୧୫

 

 

ଇହଲୋକରେ ଅପଯଶ

ମରଣେ ନରକେ ପ୍ରବେଶ

॥୧୧୬

 

 

ଏମନ୍ତ ମନେ ବିଚାରିଲା

ଖଡ଼ଗ ଘେନି ବାହୁଡ଼ିଲା

॥୧୧୭

 

 

ମିଳିଲା ନିଜପୁରେ ଯାଇ

ଭାଳଇ ଚଉଦିଗ ଚାହିଁ

॥୧୧୮

 

 

ହରିଙ୍କି କଲା ମହାଭୟ

କ୍ଷଣ କ୍ଷଣକେ କମ୍ପେ କାୟ

॥୧୧୯

 

 

ଆସନ ଶୟନ ଭୋଜନେ

ସ୍ନାନ ବିହାର ଜଳପାନେ

॥୧୨୦

 

 

ଗୋଡ଼ାଇଛନ୍ତି ଯେହ୍ନେ ହରି

କମ୍ପଇ ମହାଭୟ କରି

॥୧୨୧

 

 

ବୃକ୍ଷ କାନନ ନଦୀ ଗିରି

ସକଳ ମଣେ ନରହରି

॥୧୨୨

 

 

ଏମନ୍ତେ ରଜନୀ ହୋଇଲା

ଘୋର ତିମିର ପ୍ରକାଶିଲା

॥୧୨୩

 

 

ବ୍ରହ୍ମାଶଙ୍କର ଇନ୍ଦ୍ର ତୁଲେ

ତେତିଶ କୋଟି ଦେବବଳେ

॥୧୨୪

 

 

ମିଳିଲେ ମଥୁରା ନବରେ

ଦେବକୀ ଦେବୀ ବନ୍ଦୀଘରେ

॥୧୨୫

 

 

ପ୍ରଣାମ କଲେ ଜଣେ ଜଣେ

ଶ୍ରୀକୃଷ୍ଣ ଜନନୀ ଚରଣେ

॥୧୨୬

 

 

ଗର୍ଭକୁ ଚାହିଁ ଗଙ୍ଗାଧର

ସ୍ତୁତି କରନ୍ତି ବେଦବର

॥୧୨୭

 

 

ବାସବ ଆଦି ଦିଗପତି

ଯେ ଯାହା ମତେକଲେ ସ୍ତୁତି

॥୧୨୮

 

 

ଜୟ ଗୋବିନ୍ଦ ଦାମୋଦର

ସତ୍ୟ ବଚନ ସ୍ୱାମୀ ତୋ'ର

॥୧୨୯

 

 

ଆବୋରି ଅଛୁ ତିନି ସତ୍ୟ

ସୃଷ୍ଟିର ଆଦି ମଧ୍ୟ ଅନ୍ତ

॥୧୩୦

 

 

ସତ୍ୟେ ବ୍ରହ୍ମାଙ୍କୁ କଲୁ ଜାତ

ସତ୍ୟ ସ୍ୱରୂ ତୁ ଅଚ୍ୟୁତ

॥୧୩୧

 

 

ସତ୍ୟେ ତୁ ପାଳୁ ବସୁନ୍ଧରୀ

ତୋ'ର ଭିଆଣ ନରହରି

॥୧୩୨

 

 

ସତ୍ୟର ହେଉ ତୁହି ସତ୍ୟ

ସତ୍ୟ ବଚନ ସତ୍ୟନେତ୍ର

॥୧୩୩

 

 

ସତ୍ୟେ ତୋହର ଆତଯାତ

ଆମ୍ଭେ ଜାଣିଲୁ ତୋ'ର ସତ୍ୟ

॥୧୩୪

 

 

ତୋ'ର ଏ ସଞ୍ଚିଲା ଶୟଳ

ଦୁଷ୍ଟ ନିବାରି ସନ୍ଥ ପାଳ

॥୧୩୫

 

 

ଅସାଧୁ ମାରି ସତ୍ୟପାଳ

ତୋହର ଶରଣ ସକଳ

॥୧୩୬

 

 

ସଂସାର ମଧ୍ୟେ ଦେହବୃକ୍ଷେ

ଏଥେ ତୁ ମିଳିଲୁ ପ୍ରତ୍ୟକ୍ଷେ

॥୧୩୭

 

 

ବୃକ୍ଷର ଯେତେ ଗୁଣମାନ

ଶରୀରେ ତୋହର ଭିଆଣ

॥୧୩୮

 

 

ଏକଇ ବୃକ୍ଷ ବେନିଫଳ

ଚତୁର ରସ ତିନିମୂଳ

॥୧୩୯

 

 

ପଞ୍ଚ ଶିକଡ଼ ତଳେ ଗଣ୍ଠି

ଆତ୍ମା ଏହାର ଷଡ଼ଗୋଟି

॥୧୪୦

 

 

ସାତ ବକଳ ଦେହେ ଜଡ଼ି

ଅଷ୍ଟମ ଡାଳେ ଛନ୍ତି ବେଢ଼ି

॥୧୪୧

 

 

ଗଣ୍ଠି ସ୍ୱଭାବେ ନବନେତ୍ର

ବିସ୍ତାର ହୋଇ ଦଶପତ୍ର

॥୧୪୨

 

 

ଉପରେ ଛନ୍ତି ବେନି ପକ୍ଷୀ

ଏମନ୍ତ ବୃକ୍ଷ ଦେହେ ଲକ୍ଷି

॥୧୪୩

 

 

ମୁନି ବୋଲନ୍ତି ରାୟେ ଶୁଣ

ଦେହେ କହିବା ବୃକ୍ଷଗୁଣ

॥୧୪୪

 

 

ବୃକ୍ଷର ପ୍ରାୟେ ଦେହ ଏକ

ଫଳ ଯୋଡ଼ିଏ ଦୁଃଖସୁଖ

॥୧୪୫

 

 

ତାମସ ରଜ ସତ୍ତ୍ୱ ଗୁଣ

ଏହାର ମୂଳଟି ପ୍ରମାଣ

॥୧୪୬

 

 

ଧର୍ମ ସମ୍ପଦ କାମ ମୋକ୍ଷ

ଏ ଚାରି ରସଟି ପ୍ରତ୍ୟକ୍ଷ

॥୧୪୭

 

 

ଶବଦ ରୂପ ରସ ଗନ୍ଧ

ସ୍ପରଶ ପଞ୍ଚମୂଳ ଛନ୍ଦ

॥୧୪୮

 

 

ଜନ୍ମ ହୋଇଣ ଦେହ ବହି

ବାଳୁତ ରୂପେଣ ବଢ଼ଇ

॥୧୪୯

 

 

ତରୁଣ ବୃଦ୍ଧ କ୍ଷୟ ମୃତ୍ୟୁ

ଆତ୍ମବିକାର ଷଡ଼ ହେତୁ

॥୧୫୦

 

 

ଚର୍ମ ଶୋଣିତ ମାଂସ ମେଦ

ଅସ୍ଥି ମଜ୍ଜା ଯେ ଶୁକ୍ର ଛନ୍ଦ

॥୧୫୧

 

 

ସପତ ବକଳ ଏହାର

ମୁନି କହନ୍ତି ଜ୍ଞାନସାର

॥୧୫୨

 

 

ଭୂଜଳ ଅନଳ ସମୀର

ଖ ମନ ବୁଦ୍ଧି ଅହଙ୍କାର

॥୧୫୩

 

 

ଏ ଅଷ୍ଟଡାଳଟି ଏହାର

ନବମ ଛିଦ୍ର ନବଦ୍ୱାର

॥୧୫୪

 

 

ଦଶ ଇନ୍ଦ୍ରିୟ ପତ୍ର ଲେଖି

ଜୀବ ପରମ ବେନି ପକ୍ଷୀ

॥୧୫୫

 

 

ଏମନ୍ତ ବୃକ୍ଷ ରୂପ ବହି

ଭାରା ଉଶ୍ୱାସି ରଖ ମହୀ

॥୧୫୬

 

 

ଜଗତ ତୋର ତହୁଁ ଜାତ

ଲୟ ପାଳନ ଜଗନ୍ନାଥ

॥୧୫୭

 

 

ତୋର ମାୟାରେ ମୂର୍ଖ ଜନ

ଆତ୍ମାକୁ ଦେଖନ୍ତି ସେ ଭିନ୍ନ

॥୧୫୮

 

 

ଜ୍ଞାନୀଏ ଦେଖନ୍ତି ସେ ଏକ

ମାୟାରେ ଦିଶୁ ତୁ ଅନେକ

॥୧୫୯

 

 

ତୁ ଏ ସଂସାର ଦୁଃଖନାଶେ

ଶରୀର ବହୁ ନାନା ଅଂଶେ

॥୧୬୦

 

 

ସାଧୁଙ୍କୁ ଦିଶୁ ତୁ ନିର୍ମଳ

ଖଳଲୋଚନେ ଯେହ୍ନେ କାଳ

॥୧୬୧

 

 

ଯେ ତୋ'ର ପାଦେ ପଦ୍ମନାଭ

କରନ୍ତି ଆତ୍ମଜ୍ଞାନେ ଭାବ

॥୧୬୨

 

 

ତୋହର ନାମ ନାବ କରି

ହେଳେ ତରନ୍ତି ଭବବାରି

॥୧୬୩

 

 

ଭୋ ନାଥ କମଳଲୋଚନ

ମାୟାରେ ମୋହୁ ପ୍ରାଣୀ ମନ

॥୧୬୪

 

 

ଯେ ତୋ'ର ନାମ ନ ଭଜନ୍ତି

ମାୟାପଟଳେ ବଣା ହୋନ୍ତି

॥୧୬୫

 

 

ତୀର୍ଥସେବନ-ଦାନ-ତପେ

ତରିଲୁ ବୋଲୁଥା'ନ୍ତି ଆପେ

॥୧୬୬

 

 

କରନ୍ତି ସିଦ୍ଧଙ୍କ ଉପାୟେ

ଭେଦନ୍ତି ବ୍ରହ୍ମଲୋକ ଯାଏ

॥୧୬୭

 

 

ତୋ'ପାଦେ ନ କରି ଆଦର

ହୃଦେ ବହନ୍ତି ଅହଙ୍କାର

॥୧୬୮

 

 

ତହୁଁ ପଡ଼ନ୍ତି ଦେହ ଘେନି

ଜନ୍ମ ହୁଅନ୍ତି ନାନା ଯୋନି

॥୧୬୯

 

 

ଯେ ତୋ'ର ତହିଁ ମିତ୍ର ପଣେ

ଚିତ୍ତ ଖଟାନ୍ତି ଅନୁକ୍ଷଣେ

॥୧୭୦

 

 

ନିର୍ଭୟେ ଭ୍ରମନ୍ତି ସଂସାରେ

ନୃତ୍ୟ କରନ୍ତି ଜମ ଶିରେ

॥୧୭୧

 

 

ସତ-ନିର୍ମଳ-ଗୁଣ ଧରୁ

ଭକ୍ତଙ୍କ ପାଇଁ ଅବତରୁ

॥୧୭୨

 

 

ତପ-ସମାଧି-ଯୋଗ-କ୍ରିୟା

ବେଦେ କହନ୍ତି ମୁନି ଯାହା

॥୧୭୩

 

 

ତୋ ଆରାଧନୁଁ ନାହିଁ ଆନ

ତୁ ପୂରିଅଛୁ ସ୍ଥଳ ଶୂନ୍ୟ

॥୧୭୪

 

 

ତୁ ଯେବେ ନୋହିବୁ ଜଗତେ

ଅଜ୍ଞାନ ନାଶିବୁ କେମନ୍ତେ

॥୧୭୫

 

 

ଯେ ତୋତେ ଯେମନ୍ତ ଚିନ୍ତଇ

ଗୁଣ ପ୍ରକାଶୁ ଦେହ ବହି

॥୧୭୬

 

 

ତୋହର ଗୁଣ-କର୍ମମାନ

ସଂଖ୍ୟା କେ କରୁ ଭଗବାନ

॥୧୭୭

 

 

ମନ-ବଚନେ ହେଁ ନ ଜାଣି

କେବଳ ବେଦେ ପରିମାଣି

॥୧୭୮

 

 

ଶ୍ରବଣେ ତୋ'ର ନାମ ଶୁଣି

ତୋ ରୂ ହୃଦେ ପରିମାଣି

॥୧୭୯

 

 

ତୋ'ପାଦପୂଜାର ବିଧାନ

ଏଣେ ଯେ ହୋନ୍ତି ସାବଧାନ

॥୧୮୦

 

 

ଜନ୍ମ ମରଣ ତା'ଙ୍କ ନାହିଁ

ଏମନ୍ତ ପ୍ରଭୁ ଭାବଗ୍ରାହୀ

॥୧୮୧

 

 

ତୋହର ପାଦୁଁ ଜାତ ମହୀ

ତା' ଦୁଃଖ ନ ପାରିଲୁ ସହି

॥୧୮୨

 

 

ତୋହର ପାଦରଜ ଦେଇ

ଉଶ୍ୱାସ କର ନାଥ ମହୀ

॥୧୮୩

 

 

ସ୍ୱର୍ଗେ ପଶିବୁ ପଦ୍ମନାଭ

ତହିଁ ଦେଖିବୁ ତୋ'ର ଭାବ

॥୧୮୪

 

 

ଏ ତୋ'ର ଦେହବନ୍ତ ପଣ

ଏବେ ଜାଣିଲୁ ନାରାୟଣ

॥୧୮୫

 

 

ମନୁଷ୍ୟ ଲୀଳାର ଯେ ଭାବ

ଯା'ରୂପ ନ ଜାଣନ୍ତି ଦେବ

॥୧୮୬

 

 

ମତ୍ସ୍ୟ କଚ୍ଛପ ନରସିଂହ

କୋଳ ବାମନ ହଂସ ହୟ

॥୧୮୭

 

 

ରାଜନ ଋଷିଦେବ ବଂଶେ

ଜନ୍ମ ତୁ ହେଉ ଯୋଗଅଂଶେ

॥୧୮୮

 

 

ତିନି-ଭୁବନେ ଦୁଃଖ ନାଶି

ଆମ୍ଭଙ୍କୁ ପାଳୁ ବ୍ରହ୍ମରାଶି

॥୧୮୯

 

 

ଅବନୀ ଭାରା ଏବେ ହର

ଭୋ ନାଥ ଶରଣ ତୋହର

॥୧୯୦

 

 

ଏମନ୍ତେ ପାହିଲା ରଜନୀ

ଦେବକୀ ମୁଖ ଚାହିଁ ଭଣି

॥୧୯୧

 

 

ତୋ'ର ଉଦରେ ଜଗନ୍ନାଥ

ଜଗତ ରଖିବେ ତୋ'ସୁତ

॥୧୯୨

 

 

ଶୁଦ୍ଧ ଚୈତନ୍ୟ ରୂପ ଘେନି

ପ୍ରକାଶ ହୋଇବେ ମେଦିନୀ

॥୧୯୩

 

 

କଂସର ଭୟ ଛାଡ଼ ଆଈ

ଯାହାର ନାମେ ଦୁଃଖ ନାହିଁ

॥୧୯୪

 

 

ଅରୁଣ ତେଜ ପ୍ରକାଶିଲା

ଦେବଙ୍କୁ ଉଚ୍ଚାଟ ଲାଗିଲା

॥୧୯୫

 

 

ବ୍ରହ୍ମାଶଙ୍କର ଆଗେ କରି

ଦେବେ ଚଳିଲେ ଯେଝାପୁରୀ

॥୧୯୬

 

 

ଶ୍ରୀହରି-ଚରଣେ ମୋ'ଚତ୍ତ

ସୁଜନ ହିତେ କଲି ଗୀତ

॥୧୯୭

 

 

ଦଶମସ୍କନ୍ଧେ ହରିବାଣୀ

ଶୁଣି ନିର୍ମଳ ହୁଅ ପ୍ରାଣୀ

॥୧୯୮

 

 

ପୁରାଣ କଲି ଗୀତ ରସ

କହଇ ଜଗନ୍ନାଥ ଦାସ

॥୧୯୯

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମସ୍କନ୍ଧେ

ପୂର୍ବାର୍ଦ୍ଧେ ଗର୍ଭଗତ ବିଷ୍ଣୋ ବ୍ରହ୍ମାଦି କୃତ ସ୍ତୁତିର୍ନାମ ତୃତୀୟୋଽଧ୍ୟାୟଃ ।

***

 

ଚତୁର୍ଥ ଅଧ୍ୟାୟ

 

 

 

କହନ୍ତି ଶୁକମୁନି ହସି

କୃଷ୍ଣ ଚରିତ ପରଶଂସି

॥୧

 

 

ପରୀକ୍ଷ ମୁଖକୁ ଚାହିଁଲେ

ଆନନ୍ଦେ ଲୋଚନ ବୁଜିଲେ

॥୨

 

 

ସମାଧି କରି ଯୋଗଧ୍ୟାୟି

କୃଷ୍ଣ ପ୍ରସନ୍ନ ଲେଶ ପାଇ

॥୩

 

 

ପୁଣି କ୍ଷଣକେ ଚକ୍ଷୁ ଫେଇ

ହସି କହନ୍ତି ରାଜା ଚାହିଁ

॥୪

 

 

ଶୁକ ଉବାଚ

 

 

 

ଶୁଣ ହୋ ଶ୍ରୀକୃଷ୍ଣର ଜନ୍ମ

ଯେଣେ ଖଣ୍ଡିବ ଭବଭ୍ରମ

॥୫

 

 

 

 

ଦେବକୀ ଦେବଗଣ ଦେଖି

ମନେ ବିଚାରେ ଶଶୀମୁଖୀ

॥୬

 

 

ମୁଁ ଅଟେ ମାନୁଷ ଯୁବତୀ

ଦେବେ କରନ୍ତି ମୋତେ ସ୍ତୁତି

॥୭

 

 

କି ଅବା ଉଦରେ ମୋହର

ବିଜୟ କଲେ ଚକ୍ରଧର

॥୮

 

 

ଯାଦବକୁଳ ନିସ୍ତାରଣେ

ପାପିଷ୍ଠ କଂସର ମରଣେ

॥୯

 

 

ଦେବଙ୍କ ଛଳେ ଅବତାର

ନାଶିବେ ଅବନୀର ଭାର

॥୧୦

 

 

ଏତେ ବିଚାରି ମହାମାୟା

କ୍ଷଣକେ ପାସୋରିଲା ତାହା

॥୧୧

 

 

ଯୋଗମାୟାର ଯୋଗବଳେ

ବିଷୟାରସ କାମଭୋଳେ

॥୧୨

 

 

ସୁତ ଲାଳସା ପରିବନ୍ଧେ

ତ୍ରିଗୁଣ ଭେଦ କୂଟଛନ୍ଦେ

॥୧୩

 

 

ମନ ମୋହିଲା ରାଜସୁତା

ନ ଜାଣେ ଗର୍ଭର ବ୍ୟବସ୍ଥା

॥୧୪

 

 

ମନୁଷ୍ୟ ଜନ୍ମର ସ୍ୱଭାବ

ଦେଖଇ ପତିବ୍ରତା ଗର୍ଭ

॥୧୫

 

 

ତଥ୍ୟ ନ କଲେ ରୂପ ହେଜି

କ୍ଷଣ କ୍ଷଣକେ ଚକ୍ଷୁ ବୁଜି

॥୧୬

 

 

ଶୁଖିଲା ଅଧର ଦଶନ

ଫିଟିଲା କଟୀ ପହରଣ

॥୧୭

 

 

ଶୁଖିଲା ପ୍ରାୟେ ବିମ୍ବାଧର

କମ୍ପିତ ମୁଖ ଭୁଜ ଊର

॥୧୮

 

 

ନାଭି ଲେଉଟି ଦିଶେ ଝଳି

ଟାଙ୍କୋରେ ତନୁ ରୋମାବଳୀ

॥୧୯

 

 

କ୍ଷଣ କ୍ଷଣକେ ଯୋଗନିଦ୍ରା

ଛାଡ଼ିଲା ସୁଖ ଭୋଗ ସୁଧା

॥୨୦

 

 

ନିବିଡ଼େ ଅବନୀ ଶୟନ

କ୍ଷଣେ ମଳୟ ହୁତାଶନ

॥୨୧

 

 

ତପତ ନିଃଶ୍ୱାସ ସମୀର

କର ଚରଣ ଥରହର

॥୨୨

 

 

କୋମଳପତ୍ର ଶଯ୍ୟା ଆଶେ

ମଳୟ ଚନ୍ଦନ ପ୍ରକାଶେ

॥୨୩

 

 

ସକଳ ସୁଖଭୋଗ ମାନ

କରାନ୍ତି ପ୍ରଭୁ ଭଗବାନ

॥୨୪

 

 

ଯେ ହେବ ଗୋବିନ୍ଦର ଆଈ

ତାହାର ପାପ-ବାଧା କାହିଁ

॥୨୫

 

 

ବିଚାର କରେ ଦେବୀ ମନେ

ଏ ଗର୍ଭ ସହିବି କେସନେ

॥୨୬

 

 

ଛ ବେଳ ହେଲା ପରିହାର

ଏବେ ମୋ ପ୍ରକୃତି ଅନ୍ତର

॥୨୭

 

 

କି ଅବା କାଳଆଶ୍ରେ ମୋତେ

ଜୀବନ ହରିବ ଯୁଗତେ

॥୨୮

 

 

ଏମନ୍ତେ ଦିବାରାତ୍ର ବସି

ମନେ ଭାଳଇ ଶୁଭ୍ରକେଶୀ

॥୨୯

 

 

ଏମନ୍ତେ ଦୁଃଖ ସୁଖ ମନେ

ଦିନ ହରଇ ମନଛନ୍ନେ

॥୩୦

 

 

ଶୁଭେ ହୋଇଲା ଅଷ୍ଟମାସ

ପୃଥ୍ୱୀ ମଣ୍ଡିବେ ଶ୍ରୀନିବାସ

॥୩୧

 

 

ଶରଦ ହେମନ୍ତ ଅନ୍ତରେ

ବସନ୍ତ ଗ୍ରୀଷମ ବେଭାରେ

॥୩୨

 

 

ସୂର୍ଯ୍ୟଙ୍କ ତହୁଁ ଷଡ଼ଋତୁ

ପ୍ରକାଶ ଜନସୁଖ ହେତୁ

॥୩୩

 

 

ଋତୁଙ୍କ ମଧ୍ୟେ ଶ୍ରେଷ୍ଠବଳ

ସଂପୂର୍ଣ୍ଣ ବରଷାର କାଳ

॥୩୪

 

 

ଭାଦ୍ରବ ମାସ କୃଷ୍ଣପକ୍ଷେ

ସକଳ ଗ୍ରହେ ଛନ୍ତି ଉଚ୍ଚେ

॥୩୫

 

 

ଅଷ୍ଟମୀ ନିଶା ଅର୍ଦ୍ଧଭାଗେ

ରୋହିଣୀ ନକ୍ଷତ୍ର ସଂଯୋଗେ

॥୩୬

 

 

ବୃଷ ରାଶିରେ ନିଶାକର

ନକ୍ଷତ୍ର ଗ୍ରହେ ବଳୀୟାର

॥୩୭

 

 

ଗଭୀର ଘୋର ମେଘ ଘୋଷ

ବର୍ଗ ଉତ୍ତମ ନବଅଂଶ

॥୩୮

 

 

ଏହି ସମୟେ ସୁରରାୟେ

ଆକାଶେ ଉତ୍ସବ କରାଏ

॥୩୯

 

 

ଦୁନ୍ଦୁଭି-ବାଦ୍ୟ-ନାଦ ହେରି

ରଙ୍ଗେ ନାଚନ୍ତି ଅପସରୀ

॥୪୦

 

 

ଦେବେ କରନ୍ତି ପୁଷ୍ପବୃଷ୍ଟି

ଖଣ୍ଡିବେ ଗୋବିନ୍ଦ ଅରିଷ୍ଟି

॥୪୧

 

 

ଇନ୍ଦ୍ର ପବନକୁ ହକାରି

ବୋଲଇ ଯାଅ ମଧୁପୁରୀ

॥୪୨

 

 

ତୋହର ଗନ୍ଧ ଗୁଣ ଘେନି

ଆନନ୍ଦେ ବହିବୁ ମେଦିନୀ

॥୪୩

 

 

କଂସର ବନ୍ଦୀଘରେ ଯାଇ

ବହିବୁ ମଳୟ ପୁରାଇ

॥୪୪

 

 

ଦିଗେ ଦିଶନ୍ତୁ ପରିମଳ

ବହିବୁ ସୁଗନ୍ଧ ଶୀତଳ

॥୪୫

 

 

ଇନ୍ଦ୍ରର ଆଜ୍ଞା ପାଇ ବେଗେ

ସମୀର ଚଳିଗଲା ଆଗେ

॥୪୬

 

 

ପବନ ଗଲା ମଧୁପୁରେ

ବହେ ସୁଗନ୍ଧ ରସଭରେ

॥୪୭

 

 

ନିର୍ମଳ ଦିଶିଲା ଗଗନ

ମହୀ ମଙ୍ଗଳ ବିଦ୍ୟମାନ

॥୪୮

 

 

ଗ୍ରାମ ପାଟଣା ପୁର ଘୋଷ

ମଙ୍ଗଳ ବାଦ୍ୟେ ଗୀତ ରସ

॥୪୯

 

 

ନଦୀଏ ଉଛୁଳିଲେ ଜଳେ

ପକ୍ଷୀଙ୍କ ନାଦ ବୃକ୍ଷଡ଼ାଳେ

॥୫୦

 

 

ସ୍ତବକ ପୁଷ୍ପ ବନେ ଫୁଟି

ବାସ ପ୍ରସରଇ ପ୍ରକଟି

॥୫୧

 

 

ବିପ୍ରେ ମଙ୍ଗଳ ବେଦନାଦେ

ଅନଳେ କ୍ଷେପନ୍ତି ସମିଧେ

॥୫୨

 

 

ଆନନ୍ଦ ହେଉଅଛି ମହୀ

କୃଷ୍ଣ ଜନ୍ମିବେ ଦେହ ବହି

॥୫୩

 

 

ବଥାଏ ଦେବକୀ ଉଦର

ସ୍ୱାମୀଙ୍କି ବୋଲନ୍ତି ଉତ୍ତର

॥୫୪

 

 

ଭୋ ନାଥ ଚିନ୍ତ ନାରାୟଣ

କେ ସହୁ ଗର୍ଭର କଷଣ

॥୫୫

 

 

ଶୁଣି ବସୁଦେବ ଉଠିଲା

ଦେବକୀ କଙ୍କାଳ ଧଇଲା

॥୫୬

 

 

ଆବୋରି ଗୋବିନ୍ଦ ସୁମରି

ଭୟେ ଚିନ୍ତଇ ନରହରି

॥୫୭

 

 

ଆକାଶେ ଉଦେ ନିଶାକର

ଦେବକୀ ଉଦରୁ ବାହାର

॥୫୮

 

 

ନୀଳ-ଜୀମୂତ ଦେହ କାନ୍ତି

ବଳୟ ମଣି ଝଟକନ୍ତି

॥୫୯

 

 

ପୀତବସନ କଟୀ ଶୋହେ

ରୂପେ କୋଟିଏ କାମ ମୋହେ

॥୬୦

 

 

କଟୀ-ମେଖଳା ସୁନା-ସୂତା

ଉତ୍ତରୀ ସୁବର୍ଣ୍ଣ ପଇତା

॥୬୧

 

 

କିରୀଟ କୁଣ୍ଡଳ କଙ୍କଣ

ପାଦେ ନୂପୁର ରୁଣଝୁଣ

॥୬୨

 

 

ଦିଶଇ ଶଙ୍ଖ ଚକ୍ର ତେଜ

ମର୍କତ ସ୍ତମ୍ଭ ଚାରିଭୁଜ

॥୬୩

 

 

ଗଦା କମଳ ଶଙ୍ଖଚକ୍ର

ଅଧର ଓଷ୍ଠ ରଙ୍ଗ ରେଖ

॥୬୪

 

 

ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେ

ରତ୍ନପାଦୁକା ବେନି ପାୟେ

॥୬୫

 

 

ଅପୂର୍ବ ରୂପେ ଯୋଗେଶ୍ୱର

ଦେବ ମାନବେ ଅଗୋଚର

॥୬୬

 

 

ଦେବକୀ ପ୍ରସବିଣ ସୁତ

ଶ୍ରମେ ହୋଇଲା ମୋହଗତ

॥୬୭

 

 

ପଛେ ଯେ ବସୁଦେବ ଥିଲା

କୃଷ୍ଣ ରୂ କୁ ଅନାଇଲା

॥୬୮

 

 

ସ୍ଥିରେ ଚାହିଁଲା ବସୁଦେବ

ଦେଖିଲା ଅନାଦି ମାଧବ

॥୬୯

 

 

କ୍ଷଣେ ରହିଲା ସ୍ଥିର ହୋଇ

କୃଷ୍ଣଙ୍କୁ ଚାହିଁ ବିଚାରଇ

॥୭୦

 

 

କୃଷ୍ଣ ହରିଲେ ପିତା ଜ୍ଞାନ

ଚକିତେ ବିଚାରଇ ମନ

॥୭୧

 

 

ମନରେ ଗଙ୍ଗାସ୍ନାନ କଲା

ଅୟୁତେ ଧେନୁ ଉତ୍ସର୍ଗିଲା

॥୭୨

 

 

ଏ ପୁତ୍ରେ କଂସ ନ ମାଇଲେ

ଦେବଇଁ ଅଳଙ୍କାର ତୁଲେ

॥୭୩

 

 

ଏ ପୁତ୍ର ନମଲେ ମୋହର

ପୁଜିବି ବିପ୍ରଙ୍କ ପୟର

॥୭୪

 

 

ଚାହିଁଲା ଗୋବିନ୍ଦ ବଦନ

ପୁଣି ପାଇଲା ଦିବ୍ୟଜ୍ଞାନ

॥୭୫

 

 

ଭୟେ କମ୍ପଇ ତା'ଶରୀର

ଏ ତ ଅନାଦି ଚକ୍ରଧର

॥୭୬

 

 

ମୁ ଛାର ମନୁଷ୍ୟ ଅଧମ

କିପାଁ ଏ ହୋଇଲା ପ୍ରସନ୍ନ

॥୭୭

 

 

କି ବୁଦ୍ଧି କରିବଇଁ ମୁହିଁ

କଂସକୁ ଡରେ ମୋର ଦେହୀ

॥୭୮

 

 

ବୋଲଇ ବସୁଦେବ ଶୋକେ

ଏ କିମ୍ବା ଜାତ ମର୍ତ୍ତ୍ୟଲୋକେ

॥୭୯

 

 

ତେଜେ ଉଜ୍ଜ୍ୱଳ ବନ୍ଦୀଘର

ତିଳେ ହେଁ ନଦିଶେ ଅନ୍ଧାର

॥୮୦

 

 

କର ଅଞ୍ଜଳି ଶିରେ ଦେଇ

ସ୍ତୁତି କରଇ କୃଷ୍ଣ ଚାହିଁ

॥୮୧

 

 

 

 

 

 

 

 

ବସୁଦେବ ଉବାଚ

 

 

 

ତୋହର ଆଦି ଅନ୍ତ ନାହିଁ

ପ୍ରକୃତି ତୋତେ ନଲାଗଇ

॥୮୨

 

 

କେବଳ ସୂକ୍ଷ୍ମ ରୂପେ ଶୂନ୍ୟ

ମୁନିଙ୍କ ଚିପେ ଜ୍ଞାନଗମ୍ୟ

॥୮୩

 

 

ତୋହର ମାୟାରେ ଜଗତ

ମହତ ଆଦି ପଞ୍ଚଭୂତ

॥୮୪

 

 

ତହିଁରେ ନୋହୁ ତୁ ପ୍ରବେଶ

ପ୍ରବେଶ ପ୍ରାୟ ତୋ' ପ୍ରକାଶ

॥୮୫

 

 

ବାହାର ଭିତରେ ଅନନ୍ତ

ସୃଷ୍ଟି କରୁ ତୁ ଆତଯାତ

॥୮୬

 

 

ବୁଦ୍ଧି ଲକ୍ଷଣ ଗୁଣ ଘେନି

ତୋତେ ଚିନ୍ତନ୍ତି ଆତ୍ମଜ୍ଞାନୀ

॥୮୭

 

 

 

 

କାହୁଁ ଦେଖିବେ ଦେହବନ୍ତ

ତୁ ଦେବ ଅନାଦି ଅଚ୍ୟୁତ

॥୮୮

 

 

ଜଗତ ତୋ'ର ତହୁଁ ଜାତ

ପାଳିଣ ପୁଣି କରୁ ଅନ୍ତ

॥୮୯

 

 

ଜଗତ ଉପୁଜିବା କାଳେ

ଅରୁଣ ବର୍ଣ୍ଣ ହେଉ ବେଳେ

॥୯୦

 

 

ପାଳିବା କାଳେ ଶୁକ୍ଳବର୍ଣ୍ଣ

ଜଗତେ ବୋଲାଉ ତୁ ଧର୍ମ

॥୯୧

 

 

ସଂହାର କାଳେ କୃଷ୍ଣରୂପ

ତୋର ବିହାର ମୋହକଳ୍ପ

॥୯୨

 

 

ତୁ ଏବେ ମୋରଘରେ ନାଥ

ଅଂଶେ ହୋଇଲୁ ଦେହବନ୍ତ

॥୯୩

 

 

ଜାଣିଲି ଯେତେକ ଅସୁର

ମାରି କରିବୁ ମହୀ ସ୍ଥିର

॥୯୪

 

 

ତୋ'ର ଜନମ ମୋ'ର ଘରେ

ଶୁଣିଣ କଂସ କୋପଭରେ

॥୯୫

 

 

ଛ ପୁତ୍ର ମାଇଲା ମୋହର

ତୁ କି ନ ଜାଣୁ ଚକ୍ରଧର

॥୯୬

 

 

ପ୍ରହରୀମାନେ ଜଗିଛନ୍ତି

ଶୁଣିବେ ବୋଲି ମନେ ଭୀତି

॥୯୭

 

 

କଂସକୁ କହିବେ ତୁରିତେ

ସେ ଆସି ମାରିବଟି ତୋତେ

॥୯୮

 

 

ତୋତେ ହୋ ତୁହି ରକ୍ଷାକର

ମୁଁ ଛାର ମନୁଷ୍ୟ ମାତର

॥୯୯

 

 

ଏମନ୍ତେ ଗଡ଼ଘାଲି ଶୋଇ

କମ୍ପଇ କୃଷ୍ଣ ମୁଖ ଚାହିଁ

॥୧୦୦

 

 

ଶୀତଳ ବହଇ ପବନ

ଦେବକୀ ପାଇଲା ଚେତନ

॥୧୦୧

 

 

ଚକ୍ଷୁ ଫେଇଣ ଚାହେଁ ଧୀରେ

ଯେହ୍ନେ ଉଦୟ ଦିନକରେ

॥୧୦୨

 

 

ଚାହିଁଲା ପୁତ୍ରର ବଦନ

ଚକିତେ ହୋଇ ଛନ୍ନଛନ୍ନ

॥୧୦୩

 

 

ଅପୂର୍ବ କାହୁଁ ଏ ଅଇଲା

ଜଗତେ ନାହିଁ ନା ଦେଖିଲା

॥୧୦୪

 

 

ଏ ତ ପୁରୁଷଙ୍କ ଉତ୍ତମ

କି ଅବା ପ୍ରଭୁ ଭଗବାନ

॥୧୦୫

 

 

ପୂର୍ଣ୍ଣ ଆନନ୍ଦ ଜ୍ଞାନମୟ

ଦେଖି ପାଇଲା ଦେବୀ ଭୟ

॥୧୦୬

 

 

ବିକଳେ ବେନିକର ଯୋଡ଼ି

ହା କୃଷ୍ଣ ବୋଲି ପାୟେ ପଡ଼ି

॥୧୦୭

 

 

ଚପଳ ମନ କରି ସ୍ଥିର

ଦେବକୀ ବୋଲଇ ଉତ୍ତର

॥୧୦୮

 

 

ଦେବକୀ ଉବାଚ

 

 

 

ଭୋ ନାଥ ନିସ୍ତରିଲି ମୁହିଁ

ତୋହର ଆଦି ଅନ୍ତ ନାହିଁ

॥୧୦୯

 

 

ମନ ବଚନେ ହେଁ ନ ପାଇ

ପ୍ରସନ୍ନ ହୁଅ ମୋତେ ତୁହି

॥୧୧୦

 

 

ଜ୍ୟୋତିସ୍ୱରୂପ ନିରଞ୍ଜନ

ନିର୍ମଳ ପୁଣ୍ୟ ଦିବ୍ୟଜ୍ଞାନ

॥୧୧୧

 

 

ଦେବେ ଗୋଚର ନୋହେ ଯେହୁ

ଅଧ୍ୟାତ୍ମଦୀପ ମହାବାହୁ

॥୧୧୨

 

 

ବ୍ରହ୍ମାର ଅନ୍ତେ ମହୀ ନାଶେ

ବ୍ରହ୍ମାଣ୍ଡ ଲୁଚନ୍ତି ଆକାଶେ

॥୧୧୩

 

 

ମନର ମୂଳେ ପଞ୍ଚଭୂତେ

ତୋହର ଦେହେ ଲୀନହୋନ୍ତେ

॥୧୧୪

 

 

 

 

ରବି ଶଶାଙ୍କ ନାହିଁ କେହି

ତୁ ମାତ୍ର ରହୁ ଶେଷ ହୋଇ

॥୧୧୫

 

 

ନିମିଷ ଆଦି ଯେଉଁ କାଳ

ତୋହର ଚେଷ୍ଟା ଅନ୍ତରାଳ

॥୧୧୬

 

 

ଏ ମର୍ତ୍ତ୍ୟେ ମୃତ୍ୟୁସର୍ପ ରୂପେ

ଦଂଶିବ ବୋଲି ମହାକୋପେ

॥୧୧୭

 

 

ଦେଖଇଁ ପ୍ରାଣୀଙ୍କି ନିରତ

କରଇ କ୍ଷଣେ କ୍ଷଣେ ଗ୍ରସ୍ତ

॥୧୧୮

 

 

ଶରଣ ତୋ'ର ପାଦେ ଯେହୁ

ସେ ମୃତ୍ୟୁ ପାଇବଟି କାହୁଁ

॥୧୧୯

 

 

ବାହୁଡ଼ି ହୋଏ ଯେ ନିରାଶ

ସେ ପ୍ରାଣୀ ରହେ ତୋ'ର ପାଶ

॥୧୨୦

 

 

ତୁ ଏବେ ହରି ରଖ ତୋତେ

କଂସକୁ ନ ଯାଇ ପରତେ

॥୧୨୧

 

 

ମୋର ଉଦରୁ ତୋ'ର ଜାତ

ଲୋକେ କରିବେ କାହୁଁ ସତ

॥୧୨୨

 

 

ତୋ' ରୂପ ନ ଜାଣନ୍ତି କେହି

 

କଂସକୁ ଡରେ ମୋର ଦେହୀ

॥୧୨୩

 

 

ଶୁଣି ବୋଲନ୍ତି ନାରାୟଣ

ଭୋ ତାତ ଶୁଣ ମୋ' ବଚନ

॥୧୨୪

 

 

ବ୍ରହ୍ମା ଯେ ସୃଷ୍ଟି ଭିଆଇଲା

ତୁମ୍ଭ ଦୁହିଁଙ୍କି ଜାତ କଲା

॥୧୨୫

 

 

ପୃଶ୍ନି ସୁତପା ନାମ ବହି

ଜନ୍ମ ହୋଇଲ ତୁମ୍ଭେ ଦୁଇ

॥୧୨୬

 

 

ତା'ର ଆଦେଶ ଘେନି ଶିରେ

ମିଳିଲ ଗହନ ବନରେ

॥୧୨୭

 

 

ଅନେକ ଦୁଃଖେ ତପ କରି

ଜଳ ପବନ ପତ୍ର ଚରି

॥୧୨୮

 

 

ବରଷା ଗ୍ରୀଷ୍ମ ଶୀତ ହିମେ

ଶ୍ୱାସ ନିରୋଧି ମହାଶ୍ରମେ

॥୧୨୯

 

 

ଶତେ ବରଷ ଦେବମତେ

ତପ ସାଧିଲ ଦୃଢ଼ଚିତ୍ତେ

॥୧୩୦

 

 

ନିରତେ କଲ ମୋତେ ଧ୍ୟାନ

ମୁଁ ପୁଣି ହୋଇଲି ପ୍ରସନ୍ନ

॥୧୩୧

 

 

ଆନନ୍ଦେ ଯାଚିଲି ମୁଁ ବର

ଜାଣିଲି ତୁମ୍ଭର ବିଚାର

॥୧୩୨

 

 

ମୋର ପ୍ରସନ୍ନ ଭାବ ଘେନି

ଭାବେ ବୋଇଲ ତୁମ୍ଭେ ବେନି

॥୧୩୩

 

 

ବୋଇଲ ଶୁଣ ଚକ୍ରଧର

ଆମ୍ଭର ହୋଇବ କୁମର

॥୧୩୪

 

 

ପ୍ରଥମେ ହୋଇଲି ମୁଁ ଜାତ

ନାମ ମୋ' ପୃଶ୍ନିଗର୍ଭ ଖ୍ୟାତ

॥୧୩୫

 

 

ଦ୍ୱିତୀୟେ କଶ୍ୟପ ଅଦିତି

ରୂପରେ ତୁମ୍ଭ ଉତପତ୍ତି

॥୧୩୬

 

 

ମୁଁ ପୁଣି ତୁମ୍ଭ ଗର୍ଭେ ଜାତ

ଉପେନ୍ଦ୍ର ବାମନ ବିଖ୍ୟାତ

॥୧୩୭

 

 

ମୋହର ନାମ ଭାବଗ୍ରାହୀ

ଜନ୍ମିଲି ପୁଣି ଦେହ ବହି

॥୧୩୮

 

 

ପୁତ୍ର ଲାଳସେ ପାଳି ମୋତେ

ପଶିବ ମୋ'ର ଦେହେ ଅନ୍ତେ

॥୧୩୯

 

 

ଦେବଙ୍କ ବଚନେ ମୁଁ ଜାତ

ଅସୁର କରିବି ନିପାତ

॥୧୪୦

 

 

ଆଉ କହିତେ ନାହିଁ ବେଳ

ମୋତେ ଘେନିଣ ବେଗେ ଚଳ

॥୧୪୧

 

 

ନନ୍ଦର ଘରେ ମୋତେ ଥୋଇ

କନ୍ୟାକୁ ଆଣ ପାଲଟାଇ

॥୧୪୨

 

 

ଶୁକ ଉବାଚ

 

 

 

ଏମନ୍ତ କହି ନରହରି

ନରବାଳୁତ ରୂପଧରି

॥୧୪୩

 

 

ଗୋବିନ୍ଦ ଆଜ୍ଞା ଘେନି ଶିରେ

କୋଳେ ଧଇଲା ଛକ୍ରଧରେ

॥୧୪୪

 

 

ଘେନିଣ ଦେବ ଚକ୍ରଧର

ଭୟେଣ ହୋଏ ଥରହର

॥୧୪୫

 

 

ଶ୍ରୀକୃଷ୍ଣ ଆଜ୍ଞା ପରମାଣେ

କବାଟ ଫିଟିଲା ତକ୍ଷଣେ

॥୧୪୬

 

 

ଫିଟିଲା ପୟର ଶାଙ୍କୋଳି

ପଥ କଢ଼ାଇଲା ବିଜୁଳି

॥୧୪୭

 

 

କୋଳରେ ଘେନି ନାରାୟଣ

ବାହାର ହୋଏ ତତ୍କ୍ଷଣ

॥୧୪୮

 

 

 

 

ନିଦ୍ରାରେ ମୋହିତ ସକଳ

ବୃଷ୍ଟି କରନ୍ତି ମେଘମାଳ

॥୧୪୯

 

 

ତିନ୍ତିବା ଦେଖି ଜଗନ୍ନାଥ

ଫଣା ଉହାଡ଼ିଲା ଅନନ୍ତ

॥୧୫୦

 

 

ଯାଆନ୍ତେ କୃଷ୍ଣଙ୍କୁ ଘେନିଣ

ପଥେ ଓଗାଳେ ଉଗ୍ରସେନ

॥୧୫୧

 

 

ବୋଲଇ କାହିଁର ରେ ଚୋର

ନିଶାରେ ହୋଇଛୁ ବାହାର

॥୧୫୨

 

 

କଂସର ଜାଣିନାହୁଁ ବାନା

ଦେବଙ୍କ ଗର୍ବ କଲା ଚୂନା

॥୧୫୩

 

 

ମୁହିଁ ତାହାର ରିପୁ ମିତ୍ର

ଦେଖି ବୁଲଇ ରାତ୍ରେ ପଥ

॥୧୫୪

 

 

ଆଜ ହାଣିବି ତୋର ଶିର

ବନ୍ଧନ କରି ନେବି ଚୋର

॥୧୫୫

 

 

ଶୁଣି କମ୍ପଇ ବସୁଦେବ

ବିପତ୍ତି ଦେଲୁ ହା ଦଇବ

॥୧୫୬

 

 

ହା କୃଷ୍ଣ ବୋଲିଣ ବିକଳ

ନୟନୁ ବହେ ଅଶ୍ରୁଜଳ

॥୧୫୭

 

 

ବୋଲଇ ଉଗ୍ରସେନେ ଚାହିଁ

ପୁତ୍ରକୁ ନେଉଅଛି ମୁହିଁ

॥୧୫୮

 

 

ବୋଲଇ ଉଗ୍ରସେନ ବୀର

କାଲି ମାରିବ କଂସାସୁର

॥୧୫୯

 

 

ଯେତେ ବାଳକ ତୋ'ର ଜାତ

ସବୁଙ୍କୁ କରଇ ସେ ହତ

॥୧୬୦

 

 

ମୁଁ କେହ୍ନେ ଛାଡ଼ିଦେବି ପଥ

ଶୁଣିଲେ କୋପିବ ଦଇତ୍ୟ

॥୧୬୧

 

 

ଶୁଣି ଆରତ ବସୁଦେବ

ବିକଳେ ଚିନ୍ତଇ ମାଧବ

॥୧୬୨

 

 

କମ୍ପଇ ବସୁଦେବ କାୟେ

ବଚନ ନ କହଇ ଭୟେ

॥୧୬୩

 

 

ପିଅର ବିକଳ ଦେଖିଣ

ବୋଲନ୍ତି ପ୍ରଭୁ ନାରାୟଣ

॥୧୬୪

 

 

ଶୁଣ ହୋ ବୀର ଉଗ୍ରସେନ

ଆମ୍ଭେ ସେ ଦେବ ଭଗବାନ

॥୧୬୫

 

 

ଜନମ ହୋଇ ବନ୍ଦୀଘରେ

ଦେବକୀ ଦେବୀଙ୍କ ଉଦରେ

॥୧୬୬

 

 

ଏବେ ଯାଉଛୁ ଗୋପପୁର

ଏ କଥା ପ୍ରଘଟ ନ କର

॥୧୬୭

 

 

ଭାରା ଯେ ନ ସହଇ ମହୀ

ଉଶ୍ୱାସ କରିବଇଁ ମୁହିଁ

॥୧୬୮

 

 

ଶୁଣି ବୋଲଇ ଉଗ୍ରସେନ

ତୁ ଯେବେ ଦେବ ଭଗବାନ

॥୧୬୯

 

 

ଦେଖାଅ ଶଙ୍ଖଚକ୍ର ଚିହ୍ନ

ସଂପ୍ରତେ ଯିବ ମୋର ମନ

॥୧୭୦

 

 

ବେଦ ବଚନେ ଦେବମାନେ

 

କହନ୍ତି ଶାହାସ୍ତ୍ର ପୁରାଣେ

॥୧୭୧

 

 

ତୋହର ଚତୁର୍ଭୁଜ କର

ଦେଖାଅ ନିଜରୂପ ତୋ'ର

॥୧୭୨

 

 

ଭୃତ୍ୟର ତୋଷେ ଭାବଗ୍ରାହୀ

ଶଙ୍ଖଚକ୍ର ଚିହ୍ନ ଦେଖାଇ

॥୧୭୩

 

 

ଦେଖି ସାନନ୍ଦ ଉଗ୍ରସେନ

ଖଡଗ ପକାଇ ବହନ

॥୧୭୪

 

 

ବୋଲଇ ନିସ୍ତରିଲି ମୁହିଁ

ତୋ'ର ଶ୍ରୀମୁଖକୁ ଅନାଇଁ

॥୧୭୫

 

 

ଗୋପକୁ ଯିବ କିସ ଅର୍ଥେ

ମଥୁରା ନରହିଲ ଏଥେ

॥୧୭୬

 

 

ବୋଲନ୍ତି ଭକତବହୀଳ

ଗୋକୁଳେ ସେବକ ମୋହର

॥୧୭୭

 

 

ଗୋପୀ ଅଛନ୍ତି ଷୋଳସସ୍ର

ସେ ଆମ୍ଭ ନିଜ ପ୍ରାଣ ଗାତ୍ର

॥୧୭୮

 

 

ଅଷ୍ଟମ ବରଷ ସଂପୂର୍ଣ୍ଣ

କଂସକୁ କରିବୁ ନିଧନ

॥୧୭୯

 

 

ତୋତେ ଦେବଇଁ ଅଇଶ୍ୱର୍ଯ୍ୟ

ଚିନ୍ତା ନ କର ଭୋଜରାଜ

॥୧୮୦

 

 

ଶୁଣି ସାନନ୍ଦ ଉଗ୍ରସେନ

ଚରଣେ କଲାକ ପ୍ରଣାମ

॥୧୮୧

 

 

ମୁଁ ତୋ'ର ଦାସର ସେବକ

ତେଣୁ ଦେଖିଲି ତୋ' ଶ୍ରୀମୁଖ

॥୧୮୨

 

 

ଅନେକମତେ ସ୍ତୁତି କରି

ପୁଣି ଚରଣ ତଳେ ପଡ଼ି

॥୧୮୩

 

 

ଶ୍ରୀମୁଖେ ତା'କୁ ଆଜ୍ଞା ଦେଲେ

ନୃପତି ହୋଇବୁ ବୋଇଲେ

॥୧୮୪

 

 

ସନ୍ତୋଷ ହୋଇ ନରହରି

ଉଗ୍ରସେନକୁ ଦେଲେ ଶାଢ଼ୀ

॥୧୮୫

 

 

ଦେଇ ବୋଲନ୍ତି ଦେବରାଜ

ଆଜହୁଁ ମଥୁରାରେ ରାଜ

॥୧୮୬

 

 

ଉଗ୍ରସେନକୁ ପୁଷ୍ଠମାଳୀ

ହରଷେ କୃଷ୍ଣ ଦେଲେ ତୋଳି

॥୧୮୭

 

 

ପାଟେ ବାନ୍ଧିଲା ଉଗ୍ରସେନ

ବୋଲଇ ଯାଅ ଭଗବାନ

॥୧୮୮

 

 

ଆନନ୍ଦେ ପଥ ଛାଡ଼ିଦେଇ

ବୋଲଇ ନିସ୍ତରିଲି ମୁହିଁ

॥୧୮୯

 

 

ତହୁଁ ଚଳିଲେ ଚକ୍ରଧାରୀ

ପାଛୋଟି ଯାଏ ଦଣ୍ଡଧାରୀ

॥୧୯୦

 

 

ଏମନ୍ତେ କିଛି ଦୂର ଗଲା

ଆଜ୍ଞା ପାଇଣ ବାହୁଡ଼ିଲା

॥୧୯୧

 

 

ହରଷ ଚିତ୍ତେ ବସୁଦେବ

ହୃଦେ ଚିନ୍ତଇ ପଦ୍ମନାଭ

॥୧୯୨

 

 

ନଦୀର ତୀରେ ଯାଇ ମିଳି

ଦେଖିଲା ଯମୁନା ଉଚ୍ଛୁଳି

॥୧୯୩

 

 

ଯମର ବହେଣୀ ଯୁକତ

ଗଭୀର କେ କରିବ ଅନ୍ତ

॥୧୯୪

 

 

ବହଇ ଅତି ଖରତର

ଫେନ-ସ୍ରୋତରେ ଭୟଙ୍କର

॥୧୯୫

 

 

ନଦୀରେ ପଶିଲା ବହନ

କାତରେ ଅତି ଭୟମନ

॥୧୯୬

 

 

ନାସାରେ ପଶନ୍ତେଣ ପାଣି

ଶିରେ ବସାଇ ଚକ୍ରପାଣି

॥୧୯୭

 

 

ବୁଡ଼ିଣ ଯା'ନ୍ତେ ବସୁଦେବ

ହୃଦେ ଚିନ୍ତଇ ବାସୁଦେବ

॥୧୯୮

 

 

ହରି ସୁମରେ ଯହୁଁ ଖରେ

ଯମୁନା ଜାଣିଲା ନିର୍ଭରେ

॥୧୯୯

 

 

ମୋହର ସୌଭାଗ୍ୟ ହୋଇଲା

ମାଧବ ଏଥେ ବିହରିଲା

॥୨୦୦

 

 

ପୂର୍ବେ ମୋ' ଯେତେ ପାପ ଥିଲା

ଶ୍ରୀକୃଷ୍ଣ ଦର୍ଶନେ ଛାଡ଼ିଲା

॥୨୦୧

 

 

ନାନା ସ୍ତୁତିରେ ପାଦବନ୍ଦି

କୃତାର୍ଥ ହୋଇଲା କାଳିନ୍ଦୀ

॥୨୦୨

 

 

ତକ୍ଷଣେ ଜଳ ଛାଡ଼ିଗଲା

ଗୋଡ଼ ଝୁଣ୍ଟିଆଣି ହୋଇଲା

॥୨୦୩

 

 

ହରିଙ୍କି ଦେଖି ଭୟ କଲା

ବାଲିବନ୍ତରେ ବାଟ ଦେଲା

॥୨୦୪

 

 

ଚଳିଲେ ନଦୀ ପାର ହୋଇ

କୃଷ୍ଣଙ୍କୁ ହୃଦରେ ଲଗାଇ

॥୨୦୫

 

 

ମିଳିଲେ ଯାଇ ଗୋପପୁରେ

ସଭୟେ ନନ୍ଦର ମନ୍ଦିରେ

॥୨୦୬

 

 

ନିଦ୍ରା ମୋହିତ ସର୍ବଜନ

ଭୟେ ଚାହଁଇ ଛନଛନ

॥୨୦୭

 

 

ପ୍ରସବ କରି ନନ୍ଦରାଣୀ

ଅଚେତେ ଶୟନ ଧରଣୀ

॥୨୦୮

 

 

ଅମ୍ବିକା ହୋଇଛନ୍ତି ଜାତ

ଜଗତ ନିଦ୍ରାରେ ମୋହିତ

॥୨୦୯

 

 

ଯଶୋଦା କୋଳେ କୃଷ୍ଣ ଥୋଇ

କନ୍ୟା ଆଣିଲା ପାଲଟାଇ

॥୨୧୦

 

 

ମିଳିଲା ଦେବକୀ ନିକଟ

ତକ୍ଷଣେ ପଡ଼ିଲା କବାଟ

॥୨୧୧

 

 

ଲାଗିଲା ଚରଣେ ଶାଙ୍କୋଳି

ଦୁହିତା ଛାଡ଼ିଲା ବୋବାଳି

॥୨୧୨

 

 

ହରି ଚରିତ ସୁଧାବାଣୀ

ଶୁଣି ନିର୍ମଳ ହୁଅ ପ୍ରାଣୀ

॥୨୧୩

 

 

ଶ୍ରୀକୃଷ୍ଣ ଜନ୍ମ ରସଭର

ଶୁଣି ସଂସାରୁ ହୁଅ ପାର

॥୨୧୪

 

 

ପରୀକ୍ଷେ କହେ ଶୁକମୁନି

ପୁରାଣ ରସଗୀତ ବାଣୀ

॥୨୧୫

 

 

ହରିଚରିତ ଭାଗବତ

କହଇ ଦାସ ଜଗନ୍ନାଥ

॥୨୧୬

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କୃଷ୍ଣଜନ୍ମନି ଚତୁର୍ଥୋଽଧ୍ୟାୟଃ ।।

 

***